
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ଜଙ୍ଗଲରୁ ଉଦ୍ଧାର ୫ ଓରାଙ୍ଗଉଟାନଙ୍କୁ ନନ୍ଦନକାନନ ଅଣାଯାଇଛି । ସେମାନଙ୍କୁ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯିବା ସହ ଗତିବିଧି ଉପରେ ରହିଛି ନଜର। ବାଲେଶ୍ୱର ଜିଲ୍ଲା ଭୋଗରାଇ ରାଣାକାଠା ସଂରକ୍ଷିତ ଜଙ୍ଗଲରେ ୫ ବିରଳ ଓରାଙ୍ଗଉଟାନ ଠାବ। ଭାରତରେ ଓରାଙ୍ଗଉଟାନ ଦେଖାଯାଉନଥିବା ବେଳେ ଭୋଗରାଇରେ ବିରଳ ବନ୍ୟଜନ୍ତୁ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ।
ନିୟମିତ ପାଟ୍ରୋଲିଂ ସମୟରେ ଉଦୟପୁର ସେକ୍ସନର କର୍ମଚାରୀମାନେ ପାଞ୍ଚଟି ଓରାଙ୍ଗଉଟାନ୍ ଉଦ୍ଧାର କରିଛନ୍ତି । ୫ ଓରାଙ୍ଗଉଟାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯିବା ସହ ସମସ୍ତେ ସ୍ୱାଭାବିକ ଥିବା କହିଛି ବନବିଭାଗ । ବଡ଼ କଥା ହେଲା ଭୋଗରାଇରେ ୫ ଅଳ୍ପବୟସ୍କ ଓରାଙ୍ଗଉଟାନ୍, ଆସିଲେ କେଉଁଠୁ ? ସେମାନଙ୍କୁ ଛାଡ଼ିଲା କିଏ? ରାଣାକାଠା ସଂରକ୍ଷିତ ଜଙ୍ଗଲରୁ ଏକାସାଙ୍ଗରେ ୫ଟି ଅଳ୍ପବୟସ୍କ ଓରାଙ୍ଗଉଟାନ ମିଳିବା ଘଟଣାକୁ ରହସ୍ୟମୟ କରିଛି।
ଏହା ଭାରତରେ ସ୍ୱାଭାବିକ ଭାବେ ଦେଖାଯାଉଥିବା ବନ୍ୟପ୍ରାଣୀ ନୁହେଁ। ଇଣ୍ଡୋନେସିଆର ବର୍ଣ୍ଣିଓ ଏବଂ ସୁମାତ୍ରାର ବର୍ଷାବନ ଏମାନଙ୍କ ପ୍ରାକୃତିକ ବାସସ୍ଥଳୀ । ଗୋଟିଏ ଓରାଙ୍ଗଓଟାନର ଅନ୍ତର୍ଜାତୀୟ ବଜାରରେ ଦାମ ପ୍ରାୟ ୨୫ ଲକ୍ଷ ଟଙ୍କା। ଏହି ବିରଳ ବନ୍ୟଜନ୍ତୁ ଚାଲାଣ ପଛରେ ଅନ୍ତର୍ଜାତୀୟ ରାକେଟର ଲିଙ୍କ ଥିବା ସନ୍ଦେହ କରାଯାଉଛି । ଓରଙ୍ଗଉଟାନର ଉତ୍ସ ଓ ବାଲେଶ୍ୱର ପହଞ୍ଚିବାର ରୁଟ୍ ଖୋଜିବା ବଡ଼ ଚ୍ୟାଲେଞ୍ଜ ।
