
ହୁମ୍ମା, ୦୯/୦୯: ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ। ଶିକ୍ଷାର ଆଲୋକ ଅଜ୍ଞାନତାର ଅନ୍ଧକାରକୁ ଦୂର କରି ଜୀବନକୁ ଜ୍ଞାନର ଦୀପ୍ତିରେ ଆଲୋକିତ କରେ। ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ‘ଉଲ୍ଲାସ–ନବ ଭାରତର ଏକ ପ୍ରୟାସ’ ଶୀର୍ଷକରେ ହୁମ୍ମା କେଉଟ ସାହିରେ ଏକ ଶିକ୍ଷାମୂଳକ ଓ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦରେ ଭରପୂର ଏହି ଆୟୋଜନ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଶିକ୍ଷାମୟ ପରିବେଶ ସୃଷ୍ଟି କରିଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ ପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ପରେ ABEO ମ୍ୟାଡାମ୍ଙ୍କ ପକ୍ଷରୁ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଓ ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା। ପରେ ମଞ୍ଚାସୀନ ଅତିଥିମାନେ ଶିକ୍ଷା, ସାକ୍ଷରତା ଓ ଶିକ୍ଷାରୁ ବଞ୍ଚିତ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ ନିଜ ନିଜ ମତବ୍ୟକ୍ତ କରିଥିଲେ।
ସଭାରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସରୋଜ କୁମାର ସାହୁ ସଭାପତିତ୍ୱ କରି ଶିକ୍ଷାକୁ ଜନଜୀବନର ଅବିଚ୍ଛିନ୍ନ ଅଙ୍ଗ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ମିଳିତ ସହଯୋଗର ଆବଶ୍ୟକତା ଉପରେ ମତ ରଖିଥିଲେ।
ହୁମ୍ମା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ମାନ୍ୟବର ଅତିଥି ଭାବେ ଯୋଗଦେଇଥିବା ବେଳେ ବିନିତା ମିଶ୍ର, ଏବିଡିଓ ତଥା ‘ଉଲ୍ଲାସ’ର ନୋଡାଲ ଅଫିସର, ଗଞ୍ଜାମ ବ୍ଲକ, ଶ୍ରୀମତୀ ରସ୍ମିତା ବିଶ୍ୱାଳ, ଚେୟାରମ୍ୟାନ୍, ହୁମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଶ୍ରୀ ଦାମୋଦର ପଣ୍ଡା, ପ୍ରଧାନଶିକ୍ଷକ, ହୁମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ପଥପ୍ରାନ୍ତ ନାଟକ ‘ଉଲ୍ଲାସ–ନବ ଭାରତର ଏକ ପ୍ରୟାସ’। ନାଟକର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ଶ୍ରୀକାନ୍ତ ନାହାକ, ଶିକ୍ଷକ, ହୁମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ନାଟକ ମାଧ୍ୟମରେ ଶିକ୍ଷାର ଆବଶ୍ୟକତା, ସାକ୍ଷରତାର ପ୍ରସାର ଓ ସମାଜର ପ୍ରତ୍ୟେକ ବର୍ଗକୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ନାଟକଟି ଉପସ୍ଥିତ ଦର୍ଶକଙ୍କ ମନରେ ଶିକ୍ଷା ଓ ସଚେତନତାର ଗଭୀର ପ୍ରଭାବ ସୃଷ୍ଟି କରିଥିଲା। ଏହି ଅବସରରେ ହୁମ୍ମା ଅଞ୍ଚଳର ସମସ୍ତ ୱାର୍ଡ ସଦସ୍ୟ, CRCC, ହୁମ୍ମା କ୍ଲଷ୍ଟରର ସମସ୍ତ ସର୍ବେକ୍ଷଣକାରୀ, HUMMA PUPSର SMC ସଦସ୍ୟବୃନ୍ଦ, ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷାପ୍ରେମୀ, ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ବ୍ୟାପକ ସମାଗମ ହୋଇଥିଲା। ଫଳରେ ସମଗ୍ର କେଉଟ ସାହି ଜୀବନ୍ତ ଓ ଉତ୍ସବମୁଖର ହୋଇଉଠିଥିଲା।ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, “ପ୍ରତ୍ୟେକ ଶିଶୁର ହାତରେ ଶିକ୍ଷାର ଦୀପ ଜଳିଲେ ହିଁ ସମାଜର ଭବିଷ୍ୟତ ଆଲୋକିତ ହେବ।” ଶିକ୍ଷାରୁ ବଞ୍ଚିତ ଲୋକଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସାକ୍ଷରତାର ପ୍ରସାର ପାଇଁ ସରକାର, ଶିକ୍ଷକ, ଅଭିଭାବକ ଓ ସମାଜର ସମସ୍ତ ବର୍ଗଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ପରେ ମୁଖ୍ୟ ଅତିଥିଙ୍କ ଅଭିଭାଷଣ ଏବଂ ସଭାପତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମକୁ ଅଧିକ ଅର୍ଥପୂର୍ଣ୍ଣ କରିଥିଲା। ଶେଷରେ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଉତ୍ସାହ, ଶିକ୍ଷକମାନଙ୍କ ନିଷ୍ଠା ଓ ଗ୍ରାମବାସୀଙ୍କ ସହଯୋଗରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା। ଏହି ଆୟୋଜନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଶିକ୍ଷାର ଆଲୋକକୁ ପ୍ରତ୍ୟେକ ଘରଦ୍ୱାରରେ ପହଞ୍ଚାଇବା ଏବଂ ଏକ ସଚେତନ, ଶିକ୍ଷିତ ଓ ଉଜ୍ଜ୍ୱଳ ନବ ଭାରତ ଗଠନ ଦିଗରେ ଏକ ସାର୍ଥକ ପ୍ରୟାସ ଭାବେ ଅଞ୍ଚଳବାସୀଙ୍କ ମନରେ ଛାପ ଛାଡ଼ିଥିଲା।
