BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ହାଇଆଲର୍ଟ, ବିଦେଶୀ ନେତା ଓ ପ୍ରତିନିଧିଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର ପ୍ଲାନ୍

ନୂଆଦିଲ୍ଲୀ: BRICS ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ ଦିଲ୍ଲୀ। ସହରର ପ୍ରମୁଖ ସ୍ଥାନଗୁଡ଼ିକ ଆଲୋକମାଳା ଓ ପୋଷ୍ଟରରେ ସଜିଥିବା ବେଳେ, ବିଶ୍ୱର ବଡ଼ ବଡ଼ ନେତା, ବିଦେଶୀ ପ୍ରତିନିଧି ଓ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନଙ୍କୁ ସ୍ୱାଗତ କରିବାକୁ ରାଜଧାନୀ ପ୍ରସ୍ତୁତ। ସେପ୍ଟେମ୍ବର ୧୨ ଓ ୧୩ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ BRICS ଲିଡର୍ସ ସମିଟ୍ ଆୟୋଜିତ ହେବ। ଏହାକୁ ନଜରରେ ରଖି ସୁରକ୍ଷା, ଯାତାୟାତ ଓ VIP ମୁଭମେଣ୍ଟ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଚଳିତ ବର୍ଷ BRICS ସମ୍ମିଳନୀର ଥିମ୍ ରହିଛି “ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶ ପାଇଁ ନିର୍ମାଣ (Building for Resilience, Innovation, Cooperation and Sustainability)”। ପ୍ରଥମେ ବ୍ରାଜିଲ୍, ରୁଷ, ଭାରତ ଓ ଚୀନ୍କୁ ନେଇ BRIC ଗଠିତ ହୋଇଥିଲା। ପରେ ୨୦୧୧ରେ ଦକ୍ଷିଣ ଆଫ୍ରିକା ଯୋଗଦେବା ପରେ ଏହା BRICS ହୋଇଥିଲା। ୨୦୨୪ରେ ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଓ UAE ଏବଂ ୨୦୨୫ରେ ଇଣ୍ଡୋନେସିଆ ପୂର୍ଣ୍ଣ ସଦସ୍ୟ ହୋଇଛନ୍ତି। ଏବେ BRICSରେ ୧୧ଟି ପୂର୍ଣ୍ଣ ସଦସ୍ୟ ଦେଶ ରହିଛନ୍ତି।
ବିଦେଶୀ ନେତା ଓ ପ୍ରତିନିଧିଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ସ୍ୱତନ୍ତ୍ର ଟ୍ରାଫିକ୍ ପ୍ଲାନ୍ ପ୍ରସ୍ତୁତ କରିଛି। VIP କାରକେଡ୍ ଯିବା ସମୟରେ ରାସ୍ତାରେ ଅସ୍ଥାୟୀ ଟ୍ରାଫିକ୍ ରୋକ୍ ଓ ଡାଇଭର୍ସନ୍ ରହିପାରେ। ୨୨ଟି ଡାଇଭର୍ସନ୍ ପଏଣ୍ଟ ଚିହ୍ନଟ କରାଯାଇଥିବା ବେଳେ, ୩୫ରୁ ଅଧିକ ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ କିମ୍ବା ଡାଇଭର୍ସନ୍ କରାଯିବ। ବିଶେଷକରି ସେଣ୍ଟ୍ରାଲ୍, ସାଉଥ୍ ଓ ଏହାର ଆଖପାଖ ଦିଲ୍ଲୀ ଅଞ୍ଚଳ ପ୍ରଭାବିତ ହୋଇପାରେ। ଟ୍ରାଫିକ୍ ପୋଲିସ୍ କର୍ମଚାରୀମାନେ VIP କାରକେଡ୍ର ରିହର୍ସାଲ୍ ମଧ୍ୟ କରୁଛନ୍ତି। ନାଗରିକଙ୍କୁ ନିଜ ଯାତ୍ରା ପୂର୍ବରୁ ଯୋଜନା କରିବା ସହ ବିକଳ୍ପ ରାସ୍ତା ଓ ଦିଲ୍ଲୀ ମେଟ୍ରୋ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
