ଚୁଲି ଗୋଟିଏ, ଭୋଜନ ଗୋଟିଏ, ମନ ବି ଗୋଟିଏ; ୧୬୩ ପରିବାର ଏକାଠି ନବାନ୍ନ ଖାଇ ଏକତା-ଭାଇଚାରାର ନୂଆ ଇତିହାସ ଲେଖିଲା ଝୁରିମାଲ…
୫ ପରିବାରରୁ ଆରମ୍ଭ ନିଆରା ପରମ୍ପରାକୁ ୧୪ ବର୍ଷ;
ଜାତି-ଧର୍ମ-ବର୍ଣ୍ଣର ଭେଦ ଭୁଲି ଗୋଟିଏ ପଙ୍କ୍ତିରେ ସାରା ଗାଁ,
‘ସବୁଦିନ ଯେଉଁମାନେ ଖୁଆନ୍ତି’ ସେହି ମହିଳାଙ୍କୁ ପ୍ରଥମେ ଭୋଜନ ପରଷି ଦିଆଗଲା ସମ୍ମାନ
ସୁନ୍ଦରଗଡ଼/ଲେଫ୍ରିପଡ଼ା: ଗାଁ ଦାଣ୍ଡରେ ଜଳୁଥିଲା ଚୁଲି। ବଡ଼ ବଡ଼ ହାଣ୍ଡିରେ ରନ୍ଧା ହେଉଥିଲା ଭାତ, ଡାଲି, ଖିରି, ପିଠା ସହ ନାନା ପାରମ୍ପରିକ ସୁସ୍ୱାଦୁ ବ୍ୟଞ୍ଜନ। ରନ୍ଧାଣି ଗୋଟିଏ କି ଦୁଇଟି ପରିବାର ପାଇଁ ନଥିଲା; ଥିଲା ଗାଁର ସମସ୍ତ ୧୬୩ ପରିବାର ପାଇଁ। ହୁଳହୁଳି, ହରିବୋଲ ଓ ସଂକୀର୍ତ୍ତନର ଧ୍ୱନିରେ ମୁଖରିତ ହେଉଥିଲା ସମଗ୍ର ଗାଁ। ଆଉ ନବାନ୍ନ ଭକ୍ଷଣର ସମୟ ଆସିବା ପରେ ଜାତି, ଧର୍ମ, ବର୍ଣ୍ଣ, ଧନୀ-ଗରିବର ସମସ୍ତ ଭେଦଭାବକୁ ପଛରେ ପକାଇ ଗୋଟିଏ ପଙ୍କ୍ତିରେ ବସିଥିଲେ ଆବାଳବୃଦ୍ଧବନିତା। ଏମିତି ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକର ଝୁରିମାଲ ଗ୍ରାମର ସାମୁହିକ ନୂଆଁଖାଇରେ। ଗ୍ରାମବାସୀଙ୍କ ସହ ଆଖପାଖ ଗ୍ରାମର ଶହ ଶହ ପୁରୁଷ ଓ ମହିଳା ମଧ୍ୟ ଏହି ନିଆରା ପର୍ବର ସାକ୍ଷୀ ହୋଇଥିଲେ। ଗୋଟିଏ ଗାଁ, ଗୋଟିଏ ରନ୍ଧାଶାଳ, ଗୋଟିଏ ପଙ୍କ୍ତି ଓ ଗୋଟିଏ ମନ—ଝୁରିମାଲର ନୂଆଁଖାଇ ପୁଣିଥରେ ସାମାଜିକ ଏକତା, ସମାନତା ଓ ଭାଇଚାରାର ଏକ ବିରଳ ଉଦାହରଣ ସୃଷ୍ଟି କରିଛି।

ଆଜିର ଏହି ବିଶାଳ ସାମୁହିକ ଆୟୋଜନ ପଛରେ ରହିଛି ୧୪ ବର୍ଷର ଏକ ନିଆରା କାହାଣୀ। ଏକଦା ମାତ୍ର ୫ଟି ପରିବାରକୁ ନେଇ ଆରମ୍ଭ ହୋଇଥିବା ସାମୁହିକ ନୂଆଁଖାଇ ଆଜି ଝୁରିମାଲର ସମସ୍ତ ୧୬୩ ପରିବାରକୁ ଏକତାର ଡୋରିରେ ବାନ୍ଧିଛି।
ନୂଆଁଖାଇରେ ସାଧାରଣତଃ ପ୍ରତ୍ୟେକ ପରିବାର ନିଜ ନିଜ ଘରେ ରନ୍ଧାବଢ଼ା କରି ନବାନ୍ନ ଭକ୍ଷଣ କରିଥାନ୍ତି। କିନ୍ତୁ ଝୁରିମାଲର ପରମ୍ପରା ନିଆରା। ଏଠାରେ ଘର ଅଲଗା, ପରିବାର ଅଲଗା, କିନ୍ତୁ ନୂଆଁଖାଇର ଆନନ୍ଦ ସାମୁହିକ। ସମସ୍ତ ପରିବାର ପାଇଁ ଏକାଠି ରନ୍ଧାଯାଏ ଏବଂ ସମସ୍ତେ ଏକାଠି ବସି ନବାନ୍ନ ସାଙ୍ଗକୁ ସମସ୍ତ ଖାଦ୍ୟ ଗ୍ରହଣ କରନ୍ତି।
ଏହି ୧୪ ବର୍ଷରେ ସାମୁହିକ ନୂଆଁଖାଇ କେବଳ ଏକ ଉତ୍ସବରେ ସୀମିତ ରହିନାହିଁ; ବରଂ ଏହା ମନକୁ ମନ ସହ, ପରିବାରକୁ ପରିବାର ସହ ଏବଂ ପୁରୁଣା ପିଢ଼ିକୁ ନୂଆ ପିଢ଼ି ସହ ଯୋଡ଼ିବାର ଏକ ସାମାଜିକ ସେତୁ ପାଲଟିଛି।
ପାରମ୍ପରିକ ରୀତିନୀତି ଅନୁଯାୟୀ ଉତ୍ସବର ଆରମ୍ଭରେ ଗ୍ରାମର ଆରାଧ୍ୟ ଦେବତା ସଙ୍କଟମୋଚନ ବଜରଙ୍ଗବଳୀଙ୍କ ନିକଟରେ ନୂଆଁ ଚାଉଳ ଅର୍ପଣ କରାଯାଇ ଗାଁର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରାଯାଇଥିଲା। ପରେ ପ୍ରତ୍ୟେକ ପରିବାର ନିଜ ନିଜ ଇଷ୍ଟଦେବତାଙ୍କୁ ନବାନ୍ନ ଅର୍ପଣ କରିଥିଲେ।
ଏହାପରେ ଗାଁ ଦାଣ୍ଡରେ ଆରମ୍ଭ ହୋଇଥିଲା ସାମୁହିକ ରନ୍ଧାବଢା ଓ ନବାନ୍ନ ଭକ୍ଷଣ। ନୂଆଁ ଚାଉଳ ସହ ଭାତ, ଡାଲି, ଖିରି, ପିଠା ଓ ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ ଏକାଠି ବସି ଗ୍ରହଣ କରିଥିଲେ ଗ୍ରାମବାସୀ ଓ ଅତିଥିମାନେ। ସେତେବେଳେ କାହାର ପରିଚୟ ଜାତି କିମ୍ବା ଧର୍ମରେ ନଥିଲା; ସମସ୍ତଙ୍କ ପରିଚୟ ଥିଲା—ଆମେ ଗୋଟିଏ ଗାଁ, ଆମେ ଗୋଟିଏ ପରିବାର।
ପ୍ରତ୍ୟେକ ବର୍ଷ ଭାଲି ଝୁରିମାଲ ସାମୁହିକ ନୂଆଁଖାଇର ଅନ୍ୟତମ ହୃଦୟସ୍ପର୍ଶୀ ଦୃଶ୍ୟ ଥିଲା ମହିଳାମାନଙ୍କୁ ପ୍ରଥମେ ବସାଇ ଭୋଜନ ପରଷିବା। ଦେଖିବାକୁ ଏହା ଏକ ଛୋଟ ପଦକ୍ଷେପ ମନେ ହୋଇପାରେ, କିନ୍ତୁ ଏହା ଭିତରେ ଲୁଚି ରହିଥିଲା ନାରୀଙ୍କ ଅଦୃଶ୍ୟ ଶ୍ରମ, ତ୍ୟାଗ ଓ ପରିବାର ପ୍ରତି ଅବଦାନକୁ ସମ୍ମାନ ଜଣାଇବାର ଏକ ବଡ଼ ବାର୍ତ୍ତା। ପ୍ରତ୍ୟେକ ଦିନ ସକାଳୁ ରାତି ପର୍ଯ୍ୟନ୍ତ ମହିଳାମାନେ ପରିବାର ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି। ରନ୍ଧାବଢ଼ା, ଘରକାମ, ପିଲାଙ୍କ ଯତ୍ନ, ବୟସ୍କଙ୍କ ସେବାଠାରୁ ଆରମ୍ଭ କରି ଚାଷବାସ ଓ ଜୀବିକାର୍ଜନରେ ମଧ୍ୟ ସେମାନଙ୍କ ଅବଦାନ ଅତୁଳନୀୟ। ଅନେକ ସମୟରେ ପରିବାରର ସମସ୍ତଙ୍କୁ ଖୁଆଇବା ପରେ ହିଁ ସେମାନେ ନିଜେ ଖାଇଥାନ୍ତି। ଝୁରିମାଲରେ କିନ୍ତୁ ନୂଆଁଖାଇ ଦିନ ସେହି ଚିତ୍ର ବଦଳିଥିଲା। ଯେଉଁ ମା’, ଭଉଣୀ ଓ ଝିଅମାନେ ବର୍ଷସାରା ପରିବାରକୁ ଖୁଆନ୍ତି, ସେମାନଙ୍କୁ ପ୍ରଥମେ ପଙ୍କ୍ତିରେ ବସାଇ ସମ୍ମାନର ସହ ଖାଦ୍ୟ ପରଷାଯାଇଥିଲା। ଅନ୍ନକୁ ସମ୍ମାନ କରିବା ସହ ଯେଉଁ ହାତ ପ୍ରତିଦିନ ଅନ୍ନକୁ ପରିବାରର ଥାଳି ପର୍ଯ୍ୟନ୍ତ ପହଞ୍ଚାଏ, ସେହି ହାତକୁ ସମ୍ମାନ ଦେବା ଏହି ସାମୁହିକ ନୂଆଁଖାଇକୁ ଆହୁରି ଅର୍ଥପୂର୍ଣ୍ଣ କରିଥିଲା।
ନବାନ୍ନ ଭକ୍ଷଣ ପରେ ଆରମ୍ଭ ହୋଇଥିଲା ପାରମ୍ପରିକ ନୂଆଁଖାଇ ଭେଟଘାଟ। ବର୍ଷ ସାରାର କଳିକଜିଆ, ରାଗଦ୍ୱେଷ, ଅଭିମାନ ଓ ମନୋମାଳିନ୍ୟକୁ ଭୁଲି ପରସ୍ପରକୁ ଜୁହାର ଜଣାଇଥିଲେ ଗ୍ରାମବାସୀ। ଯୁବକଯୁବତୀମାନେ ବୟୋଜ୍ୟେଷ୍ଠଙ୍କୁ ଜୁହାର କରି ଆଶୀର୍ବାଦ ନେଇଥିବାବେଳେ ବଡ଼ମାନେ ସ୍ନେହରେ ଛୋଟମାନଙ୍କୁ ଆଶୀର୍ବାଦ କରିଥିଲେ। କେଉଁଠି ଜୁହାର, କେଉଁଠି ଆଲିଙ୍ଗନ, କେଉଁଠି ହସ ଓ ଆତ୍ମୀୟତା—ସେହି କିଛି ମୁହୂର୍ତ୍ତ ପାଇଁ ସମଗ୍ର ଝୁରିମାଲ ଯେପରି ଗୋଟିଏ ବିଶାଳ ପରିବାରରେ ପରିଣତ ହୋଇଯାଇଥିଲା।

ଉତ୍ସବ କେବଳ ନବାନ୍ନ ଓ ଭେଟଘାଟରେ ସୀମିତ ନଥିଲା। ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସେବକ”ର ସହଯୋଗରେ ଶଙ୍ଖ ଫୁଙ୍କା, ହୁଳହୁଳି, ବାଡ଼ିପିଟା ଓ ଚାମୁଚ ରେସ୍ ଭଳି ବିଭିନ୍ନ ପାରମ୍ପରିକ ଲୋକଖେଳ ଆୟୋଜିତ ହୋଇଥିଲା।ମୋବାଇଲ ଓ ଡିଜିଟାଲ ମନୋରଞ୍ଜନର ଯୁଗରେ ଧୀରେ ଧୀରେ ହଜିଯାଉଥିବା ଏହି ଲୋକଖେଳରେ ଛୋଟ ପିଲାଙ୍କଠାରୁ ମହିଳା ଓ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହ ଭାଗ ନେଇଥିଲେ।
ଏକତା ଓ ଭାଇଚାରାର ଏହି ଅଭିନବ ପର୍ବରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଝୁରିମାଲବାସୀଙ୍କ ଏହି ନିଆରା ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଗୋଟିଏ ଗାଁର ସମସ୍ତ ପରିବାର ଏକାଠି ହୋଇ ରନ୍ଧାବଢ଼ା କରିବା, ଗୋଟିଏ ପଙ୍କ୍ତିରେ ବସି ନବାନ୍ନ ଗ୍ରହଣ କରିବା ଓ ପରସ୍ପରର ରାଗଦ୍ୱେଷକୁ ଭୁଲି ଭାଇଚାରାର ବାର୍ତ୍ତା ଦେବା କେବଳ ଓଡ଼ିଶା ନୁହେଁ, ଦେଶବିଦେଶ ପାଇଁ ମଧ୍ୟ ଏକ ନିଆରା ଉଦାହରଣ ବୋଲି ସେ ମତବ୍ୟକ୍ତ କରିଥିଲେ।
ଆଧୁନିକତାର ପ୍ରଭାବରେ ପରିବାର ଓ ସମାଜ ମଧ୍ୟରେ ଦୂରତା ବଢ଼ୁଥିବାବେଳେ ଝୁରିମାଲର ଏହି ପରମ୍ପରା ‘ମୁଁ’ ରୁ ‘ଆମେ’ ହେବାର ଏକ ଜୀବନ୍ତ ଉଦାହରଣ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଭାଇ-ଭାଇ, ପରିବାର-ପରିବାର ଓ ଗାଁ-ଗାଁ ମଧ୍ୟରେ ବଢ଼ୁଥିବା ଦୂରତା ଓ ମନୋମାଳିନ୍ୟ ମଧ୍ୟରେ ଝୁରିମାଲର ସାମୁହିକ ନୂଆଁଖାଇ ସାମାଜିକ ସଦ୍ଭାବ ଓ ସହାବସ୍ଥାନର ଏକ ପ୍ରେରଣାଦାୟୀ ବାର୍ତ୍ତା ଦେଇଛି। ଦିନର ସାମୁହିକ ନବାନ୍ନ, ଭେଟଘାଟ ଓ ଲୋକଖେଳ ପରେ ଅପରାହ୍ନରେ ଗୀତ, ସଙ୍ଗୀତ ଓ ନୃତ୍ୟରେ ଝୁମିଥିଲା ଝୁରିମାଲ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗୀତିକାର, ବ୍ୟଙ୍ଗକବି ଓ ସଙ୍ଗୀତ ନିର୍ଦ୍ଦେଶକ ଦୁର୍ଗାମାଧବ ପଣ୍ଡା, ବରିଷ୍ଠ ଲୋକପ୍ରିୟ ସମ୍ବଲପୁରୀ ଗାୟକ ଶତ୍ରୁଘ୍ନ ଲୁହା ଏବଂ ସିଦ୍ଧାର୍ଥ ଟିଭି ପ୍ରାୟୋଜିତ ‘ସ୍ୱରଲକ୍ଷ୍ମୀ’ର ଲୋକପ୍ରିୟ ଗାୟିକା ମଧୁସ୍ମିତା ନାଏକ, ଗାୟକ ଜୟଦେବ ତନ୍ତୀ ପ୍ରମୁଖ ଆକର୍ଷଣ ସାଜିଥିଲେ। ଏହାସହ ଉଦୀୟମାନ କଣ୍ଠଶିଳ୍ପୀ ଯୋଗମାୟା ମିଶ୍ର, ପ୍ରତାପ ଛୁରିଆ, ବିକାଶ ରଞ୍ଜନ ନାଏକ ଓ ଗଦାଧର କଉଡ଼ିଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ରାଉରକେଲାର ରୁମ୍ ଝୁମ୍ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟ ପରିବେଷଣ ମଧ୍ୟ ଉତ୍ସବର ଅନ୍ୟତମ ଆକର୍ଷଣ ସାଜିଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ଝୁରିମାଲ ସାମୁହିକ ନୂଆଁଖାଇ କମିଟି, ଜୟ ବଜରଙ୍ଗ କ୍ଲବ ଏବଂ ଝୁରିମାଲ ବନ ସୁରକ୍ଷା ସମିତିର ସଭ୍ୟ ଓ ସଭ୍ୟାମାନେ ସୁଚାରୁ ଭାବେ ପରିଚାଳନା କରିଥିଲେ।
ଝୁରିମାଲର ସାମୁହିକ ନୂଆଁଖାଇ ଆଜି କେବଳ ନୂଆ ଅନ୍ନ ଖାଇବାର ଏକ ପର୍ବ ହୋଇ ରହିନାହିଁ। ଏହା ସାମାଜିକ ସମାନତା, ନାରୀ ସମ୍ମାନ, ପାରସ୍ପରିକ ସହଯୋଗ, ଭାଇଚାରା ଓ ଲୋକସଂସ୍କୃତିର ସୁରକ୍ଷାର ଏକ ଜୀବନ୍ତ ଉତ୍ସବରେ ପରିଣତ ହୋଇଛି।
୫ଟି ପରିବାରରୁ ଆରମ୍ଭ ହୋଇ ୧୪ ବର୍ଷ ପରେ ୧୬୩ ପରିବାରକୁ ଗୋଟିଏ ଡୋରିରେ ବାନ୍ଧିଥିବା ଏହି ପରମ୍ପରା ଆଗାମୀ ପିଢ଼ିକୁ ମଧ୍ୟ ନିଜ ମାଟି, ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧ ସହ ଯୋଡ଼ି ରଖିବାର ବାର୍ତ୍ତା ଦେଉଛି।
ଘର ଅଲଗା ହୋଇପାରେ, ମତ ଅଲଗା ହୋଇପାରେ; କିନ୍ତୁ ମାଟି, ପରମ୍ପରା ଓ ଭାଇଚାରା ସମସ୍ତଙ୍କୁ ଏକାଠି କରିପାରେ। ‘ଚୁଲି ଗୋଟିଏ, ଭୋଜନ ଗୋଟିଏ, ମନ ବି ଗୋଟିଏ’—ଝୁରିମାଲର ସାମୁହିକ ନୂଆଁଖାଇ ଏଥର ପୁଣି ସେହି ବାର୍ତ୍ତା ଦେଇଛି।
