କଟକ: କଟକକୁ ମାଡ଼ି ଆସୁଛି ବଡ଼ ବିପଦ। ଏପଟସେପଟ ହୋଇ କଟକର ଦୁଇ ପାର୍ଶ୍ବରେ ମହାନଦୀ ଓ କାଠଯୋଡ଼ି ବୋହି ଯାଇଥିଲେ ହେଁ କଟକରେ ଭୀଷଣ ଜଳ ସଂକଟ ଦେଖାଦେବ। ପିଇବା ପାଣି ପାଇଁ କଟକବାସୀ ହନ୍ତସନ୍ତ ହେବେ। ବେଳ ହୁଁ ସାବଧାନ ନ ହେଲେ ଏପରି ସ୍ଥିତି ବେଶୀ ଦୂର ନୁହେଁ। ରେଭେନ୍ସା ବିଶ୍ବବିଦ୍ୟାଳୟର ଭୂ-ତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରଫେସର୍ ଏପରି ସତର୍କବାଣୀ ଦେବା ସହ ପ୍ରଶାସନ, ସରକାରଙ୍କୁ ଚେତାଇ ଦେଇଛନ୍ତି। ଭୂତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରାଧ୍ୟାପକଙ୍କ ଦ୍ବାରା ଏକ ଗବେଷଣାରୁ ଜଣାଯାଇଛି ଯେ ସହର ଚାରିପାଖେ ବେଆଇନ ବାଲି ଖାଦାନର ସାମ୍ରାଜ୍ୟ ଏବେ କଟକର ମାଟି ତଳର ଜଳଭଣ୍ଡାରକୁ ଶୂନ୍ୟ କରିଦେଲାଣି। ଗତ ଦୁଇରୁ ୩ ବର୍ଷ ହେଲା ଜଳସ୍ତର କମି କମି ଯାଉଛି। ବିଶେଷକରି, କାଠଯୋଡ଼ି ଓ ଆଖପାଖ ଅଞ୍ଚଳରେ ଏଭଳି ସଙ୍କଟ ସୃଷ୍ଟି ହେବାର
ଆଶଙ୍କା ଦେଖାଦେଇଛି। ସେହିଭଳି କାଠଯୋଡ଼ି ଏବଂ ମହାନଦୀରେ ବାଲିଚର କ୍ରମଶଃ ହ୍ରାସ ପାଉଛି। ଯାହାଦ୍ବାରା ଦୁଇ ନଦୀ ମଧ୍ୟରେ ଥିବା ବଡ଼ବଡ଼ ସେତୁଗୁଡ଼ିକ ପ୍ରତି ବିପଦର ଆଶଙ୍କା ସୃଷ୍ଟି ହୋଇଛି। ଏବେଠାରୁ ପ୍ରଶାସନ ଏଥିପ୍ରତି ସତର୍କ ନ ହେଲେ, କଟକ ସହରବାସୀ ଓ ଉପକଣ୍ଠ ଅଞ୍ଚଳରେ ଲୋକମାନେ ପିଇବା ପାଣି ପାଇଁ ଘୋର୍ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜଣାପଡ଼ିଛି।
ରିପୋର୍ଟରେ କୁହାଯାଇଛି, ନଦୀଗୁଡ଼ିକରୁ ସୀମାହୀନ ବାଲି ଉତ୍ତୋଳନ ଯୋଗୁଁ ଜୈବିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାଲି ସ୍ତର କମିବା ଦ୍ୱାରା ବର୍ଷା ଜଳ ମାଟି ଭିତରକୁ ଶୋଷି ହୋଇ ଯାଇପାରୁ ନାହିଁ। କାଠଯୋଡ଼ିରେ ୨୦୨୪ ଏବଂ ୨୦୨୫ ମସିହାରେ ସର୍ବାଧିକ ୨.୮୬୨ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବାଲି ଉତ୍ତୋଳନ କରାଯାଇଛି। ୨୦୧୭- ୨୦୧୮ରେ ୨ ବର୍ଗ କିଲୋମିଟର, ୨୦୧୯ରେ ୧.୫ରୁ ୨ ବର୍ଗ କିଲୋମିଟର, ୨୦୨୦ରେ ୧.୫ରୁ ୧.୮ ବର୍ଗ କିଲୋମିଟର, ୨୦୨୧ରେ ୧.୫ ରୁ ୧.୬ ବର୍ଗ କିଲୋମିଟର ଥିବା ବେଳେ ୨୦୨୨ରୁ ଏହା ସର୍ବାଧିକ ୨ ବର୍ଗ କିଲୋମିଟରରୁ ୨.୮୬୨ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବାଲି ଉତ୍ତୋଳନ ହୋଇଛି। ବିଶେଷକରି କାଠଯୋଡ଼ିରେ ଥିବା ସେତୁ ନିକଟବର୍ତ୍ତୀ ଅଞ୍ଚଳରୁ ଅଧିକ ବାଲି ଉତ୍ତୋଳନ କରାଯାଇଛି। ଏହାଦ୍ବାରା ଭୂତଳ ଜଳସ୍ତର ପ୍ରଭାବିତ ହୋଇଛି। ଗବେଷଣାରୁ ଜଣାପଡ଼ିଛି ଯେ ୨୦୧୭ରୁୁ ୨୦୧୯ ପର୍ଯ୍ୟନ୍ତ ଭୂତଳ ଜଳସ୍ତର ଷ୍ଟାଣ୍ଡାର୍ଡ ଲାଇନର ଉପରେ ରହିଥିଲା। କିନ୍ତୁ ୨୦୨୧ ଜାନୁଆରୀଠାରୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଯଦି ଏହି ବାଲି ଲୁଟ୍ ଉପରେ ତୁରନ୍ତ ରୋକ ନ ଲଗାଯାଏ, ତେବେ କଟକରେ ଜଳାଭାବ ପରିସ୍ଥିତି ଅତି ଭୟଙ୍କର ରୂପ ନେବ।
ପ୍ରଫେସର୍ ଡ. ସନ୍ଦୀପ ନାରାୟଣ କୁଣ୍ଡୁଙ୍କ ତତ୍ତ୍ବାବଧାନରେ ସହଯୋଗୀ ନୀହାର ରଞ୍ଜନ ସାହୁ ଏ ଦିଗରେ ଗବେଷଣା କରିଛନ୍ତି। ବିଶେଷକରି, ଉପଗ୍ରହ ଚିତ୍ର ଓ ଜିଓଗ୍ରାଫିକ୍ ଇନ୍ଫର୍ମେସନ୍ ସିଷ୍ଟମ (ଜିଆଇଏସ) ଦ୍ବାରା ନଦୀର ପରିବର୍ତ୍ତନଶୀଳ ଗତିପଥ ବିଷୟରେ ଅଧ୍ୟୟନ ଜାରି ରଖିଛନ୍ତି। ସେମାନେ ନରାଜ ଓ ଯୋବ୍ରା ବ୍ୟାରେଜ୍ ମଧ୍ୟବର୍ତ୍ତୀ ସୀମିତ ଅଞ୍ଚଳରେ ନଦୀ ପଥ ପରିବର୍ତ୍ତନ ଏବଂ ବାଲିଚର ସ୍ଥାନାନ୍ତରଣ ଢାଞ୍ଚା ଉପରେ ଗବେଷଣା କରିଛନ୍ତି। ଏଠାରେ ବାଲିଚରର ଦ୍ରୁତ ପରିବର୍ତ୍ତନ ଘଟୁଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି। ବାଲିର ଘନତ୍ବ ହ୍ରାସ ପାଉଛି ଏବଂ ଅଳ୍ପ ସମୟ ମଧ୍ୟରେ ଦ୍ରୁତ ଜଳ ପ୍ରବାହ ବୃଦ୍ଧି ପାଉଛି। ଗତ ୩୦ ବର୍ଷ ତୁଳନାରେ ସର୍ବାଧିକ ବାଲିଚର କ୍ଷେତ୍ର ହ୍ରାସ ପାଉଛି। ବାଲିଚର ଦ୍ରୁତ କ୍ଷୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଥିବା ସେତୁଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି।
