ପୁରୁଣା ମାମଲାରୁ ଖିଅ ଖୋଜିବ ; ୩ ରାଜ୍ୟରେ ତଦନ୍ତ କରିବ ଏସଟିଏଫ୍‌

ଭୁବନେଶ୍ବର/ଚନ୍ଦନେଶ୍ୱର : ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ତଦନ୍ତ ଯେତିକି ବଢ଼ୁଛି, ସେତିକି ନୂଆ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସୁଛନ୍ତି। ଓରାଙ୍ଗଉଟାନ ଚାଲାଣରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍‌ର ହାତ ଥିବା ସ୍ପଷ୍ଟ ହେବା ପରେ ୩ ରାଜ୍ୟ ପୁଲିସର ସହାୟତା ନେବାକୁ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ(ଏସଟିଏଫ୍‌) ଯୋଜନା କରୁଛି। ମହାରାଷ୍ଟ୍ର, ମିଜୋରାମ ଓ ଆସାମ ପୁଲିସ ସହାୟତା ଲୋଡ଼ିଛି। ପୂର୍ବରୁ ଏହି ୩ ରାଜ୍ୟରେ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲେ। ତେଣୁ, ପୁରୁଣା ମାମଲାର ଲିଙ୍କ୍‌ ଖୋଜା ପ୍ରକ୍ରିୟା ଆରମ୍ଭ କରିଛି ଏସ୍‌ଟିଏଫ୍‌। ଆବଶ୍ୟକ ପଡ଼ିଲେ, ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ସହାୟତା ନିଆଯିବ। ଏଥିସହ କଲକାତା, ବିହାର ଓ ଝାଡ଼ଖଣ୍ଡରେ ଚଢ଼ଉ ପରେ ଏକାଧିକ ସନ୍ଦିଗ୍ଧଙ୍କୁ ସ୍କାନରକୁ ଅଣାଯାଇଛି। କଲକାତା ଓ ଦୀଘା ହୋଟେଲ୍‌ରେ ଡିଲ୍‌ରେ ସାମିଲ ହୋଇଥିବା ୨ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି ତଦନ୍ତକାରୀ ସଂସ୍ଥା। ଅପରପକ୍ଷେ, ଏସ୍‌ଟିଏଫ୍ ହାତରେ ଆଉ ଏକ ତଥ୍ୟ ଲାଗିଛି।
ଉଦ୍ଧାର ଓରାଙ୍ଗଉଟାନ୍‌ଙ୍କୁ ବାଂଲାଦେଶରୁ ଭାୟା କଲକାତା ଏବଂ ଓଡ଼ିଶା ଦେଇ ବିଶାଖାପାଟଣା ଚାଲାଣ କରାଯାଉଥିବା ଜଣାପଡ଼ିଛି। ଶାବକଙ୍କୁ ବାଂଲାଦେଶରୁ ଜଳପଥରେ ଓଡ଼ିଶା ଆଣିବା ପରେ ପ୍ରଥମେ ଭଦ୍ରକରେ ରଖାଯାଇଥିବା କୁହାଯାଉଛି। ସେଠାରୁ ସେମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କଲକାତା ନିଆଯାଇଥିଲା। ପରୀକ୍ଷା ପରେ ଶାବକଙ୍କୁ ବିଶାଖାପାଟଣା ନେବାର ଯୋଜନା ଥିଲା। ଚାଲାଣ ବେଳେ ଗାଡ଼ି ଭିତରେ ଶାବକଙ୍କ କିଛି କାର୍ଯ୍ୟକଳାପ ଯୋଗୁଁ ସେମାନଙ୍କୁ ନେଉଥିବା ଚାଲାଣକାରୀ ବିଚିତ୍ରପୁର ଝାଉଁ ଜଙ୍ଗଲର ଛାଡ଼ି ପଳାଇଥିବା ଜଣାପଡ଼ିଛି।
ସେହିପରି, ଭୋଗରାଇରୁ ଦୀଘା ଅଞ୍ଚଳରେ ନୂଆ କଥାଟିଏ ଚର୍ଚ୍ଚାର ପରିସରକୁ ଆସିଛି। ଆକାଶ ପଥରେ ଶାବକମାନେ ଆସିଥିବା ଚର୍ଚ୍ଚା ହେଉଛି। ବିଶେଷ କରି କଲକାତାର ମାଲବାହୀ ବିମାନରେ ଶାବକମାନଙ୍କୁ ଅଣାଯାଇଥାଇପାରେ ବୋଲି ଶୁଣିବାକୁ ମିଳୁଛି। ତେବେ ତଦନ୍ତକାରୀ ଦଳ ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରୁଥିଲେ ହେଁ, ଏ ବାବଦରେ କିଛି ସ୍ପଷ୍ଟ କରିନାହାନ୍ତି। ଏତେ ଛୋଟ ବୟସର ଓରାଙ୍ଗଉଟାନଙ୍କୁ ଦୂର ଦେଶରୁ ଆଣିବା, ଯାତାୟାତ କରାଇବା ଓ ପରେ ଏକ ନିର୍ଜନ ଜଙ୍ଗଲରେ ଛାଡ଼ିଦେବା ପଛରେ ସଂଗଠିତ ନେଟୱର୍କ ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି। ସେହିପରି, ଉଦ୍ଧାର ସମୟରେ ଓରାଙ୍ଗଉଟାନ ଶାବକଙ୍କ ବ୍ୟବହାରକୁ ନେଇ ମଧ୍ୟ ନାନା କଥା ଶୁଣିବାକୁ ମିଳୁଛି। ସେମାନେ ମଣିଷଙ୍କ ଉପସ୍ଥିତିରେ ଅତ୍ୟଧିକ ଭୟଭୀତ ନହେବା ଓ ମଣିଷଙ୍କ ସହ ପୂର୍ବରୁ ଅଭ୍ୟସ୍ତ ଥିବା ଆଲୋଚନା ଚାଲିଛି। ଯଦି ତଦନ୍ତରେ ଏହାର ପ୍ରମାଣ ମିଳେ, ତେବେ ଶାବକଙ୍କୁ ପ୍ରାକୃତିକ ପରିବେଶରୁ ଧରି ମଣିଷଙ୍କ ନିକଟରେ ରଖାଯାଇଥିବା ସନ୍ଦେହ ଆହୁରି ଦୃଢ଼ୀଭୂତ ହେବ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦ୍ଧାର ଏହି ଓରାଙ୍ଗଉଟାନ ଶାବକଙ୍କୁ କାଚ ଘର ଭିତରେ ସଂଗରୋଧ ଅବସ୍ଥାରେ ରଖାଯାଇଛି। ସେଠାରୁ ସେମାନଙ୍କୁ ଓପନ ଏନ୍‌କ୍ଲୋଜର୍‌କୁ ନିଆଯିବ ବୋଲି ଜଣାଯାଇଛି। ପରିବେଶ ସହ ଖାପ ଖୁଆଇବାକୁ କର୍ତ୍ତୃପକ୍ଷ ଏଭଳି ଯୋଜନା କରୁଥିବା ଜଣାଯାଇଛି। ଖୁଆଡ଼ ଭିତରେ ସେମାନେ ସଂଗରୋଧରେ ରହିବେ ଓ ସେଠାକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ରହିବ। ଓରାଙ୍ଗଉଟାନଙ୍କ ପାଇଁ ଗଠିତ ବୈଷୟିକ କମିଟି ସବୁଜ ସଙ୍କେତ ଦେବା ପରେ ଏପରି ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି। ଓରାଙ୍ଗଉଟାନ ସୁସ୍ଥ ଥିବା ବେଳେ ସେମାନେ ଠିକ ଭାବେ ଖାଦ୍ୟ ଗ୍ରହଣ କରୁଥିବା ବେଳେ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ad-week
Leave A Reply

Your email address will not be published.