କୋଟପାଡ଼ଠାରେ ବରିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା ନିମନ୍ତେ ହାଇକୋର୍ଟ ବିଚାରପତିଙ୍କୁ ଓକିଲ ସଂଘର ସ୍ମାରକପତ୍ର

କୋଟପାଡ଼ : କୋଟପାଡ଼ଠାରେ ଏକ ବରିଷ୍ଠ ଦେୱାନୀ ଅଦାଲତ (ସିନିୟର ସିଭିଲ୍ ଜଜ୍ କୋର୍ଟ) ପ୍ରତିଷ୍ଠା ଦାବି ନେଇ କୋଟପାଡ଼ ଓକିଲ ସଂଘର ଏକ ପ୍ରତିନିଧି ଦଳ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ତଥା କୋରାପୁଟ ଜିଲ୍ଲା ପୋର୍ଟଫୋଲିଓ ଜଜ୍ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କ ଚାମ୍ବରରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ପୂର୍ବତନ ସଭାପତି ଜିତେନ୍ଦ୍ର ମହାପାତ୍ର, ପୂର୍ବତନ ସରକାରୀ ଓକିଲ କିଶୋର ଚନ୍ଦ୍ର ମିଶ୍ର, ବରିଷ୍ଠ ଆଇନଜୀବୀ ବିରେନ ବିଶୋଇ ଓ ଶଙ୍କର ପ୍ରସାଦ ପଣ୍ଡା ପ୍ରମୁଖ ସାମିଲ ଥିଲେ।

କୋଟପାଡ଼ ଅଞ୍ଚଳର ଜମିଜମା ସମ୍ପର୍କିତ ୩୦୦ରୁ ଊର୍ଦ୍ଧ୍ୱ ଦେୱାନୀ ମାମଲା ଦୀର୍ଘ ଦିନ ଧରି ଜୟପୁର ସ୍ଥିତ ବରିଷ୍ଠ ଦେୱାନୀ ଅଦାଲତରେ ବିଚାରାଧୀନ ହୋଇ ପଡ଼ିରହିଛି। ଏହି କାରଣରୁ ସ୍ଥାନୀୟ ଲୋକଙ୍କୁ ନ୍ୟାୟ ପାଇଁ ବାରମ୍ବାର ଦୂରଦୂରାନ୍ତକୁ ଯିବାକୁ ପଡ଼ୁଥିବାରୁ ସେମାନେ ନାନା ହଇରାଣ ହରକତ ହେଉଛନ୍ତି। କୋଟପାଡ଼ଠାରେ ସ୍ଥାୟୀ ଭାବେ ବରିଷ୍ଠ ଦେୱାନୀ ଅଦାଲତ କାର୍ଯ୍ୟକ୍ଷମ ହେଲେ ମୋକଦ୍ଦମାଗୁଡ଼ିକର ଶୀଘ୍ର ଫଇସଲା ହୋଇପାରିବ ଏବଂ ସାଧାରଣ ଲୋକେ ଉପକୃତ ହେବେ ବୋଲି ପ୍ରତିନିଧି ଦଳ ବିଚାରପତିଙ୍କୁ ଅବଗତ କରାଇଥିଲେ।

ଏହି ଦାବିକୁ ମାନ୍ୟବର ବିଚାରପତି ଗୁରୁତ୍ୱର ସହ ଶୁଣିବା ସହ ଆସନ୍ତା କିଛି ମାସ ମଧ୍ୟରେ ଏ ଦିଗରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.