ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପିଠାଭୂଇଁ ଗ୍ରାମରେ ଚାଷୀମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ଉନ୍ନତି ପାଇଁ ‘ଜୟ ମାଁ ଲକ୍ଷ୍ମୀ କୃଷକ ସଂଗଠନ’ର ନୂତନ କାର୍ଯ୍ୟାଳୟ ଆଜି ଶୁଭାରମ୍ଭ ହୋଇଯାଇଛି। ଗ୍ରାମର ଗୌନ୍ତିଆ ପରିବାରର ମୁଖ୍ୟ ସୁନାଫୁଲ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିତା କାଟି ଏହି କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ।
ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ମୃତ୍ତିକା ସଂରକ୍ଷଣ ଓ କୃଷି ବିଭାଗର ସେବାନିବୃତ୍ତ ବୈଷୟିକ ନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ନାଏକ, ସେବାନିବୃତ୍ତ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାଏକ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସକ୍ଷମ’ର ସଭାପତି ଉମେଶ ବାବୁ ଉପସ୍ଥିତ ଥିଲେ। ପବିତ୍ର ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ କୀର୍ତ୍ତନ ମଣ୍ଡଳୀଙ୍କ ଭଜନ ପରିବେଷଣରେ ସାରା ପରିବେଶ ଭକ୍ତିମୟ ହୋଇଉଠିଥିଲା। ଏହି ଅବସରରେ ଗ୍ରାମର ଦୁଇଜଣ ପ୍ରଗତିଶୀଳ ଚାଷୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ କୃଷି କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବନ୍ଧପାଲିରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସକ୍ଷମ’ର ପ୍ରୋତ୍ସାହନରେ ଏହି କୃଷକ ସଂଗଠନଟି ଗଠିତ ହୋଇଛି। ଗତ ଏକ ବର୍ଷ ଧରି ‘ସକ୍ଷମ’ ପିଠାଭୂଇଁ ଗ୍ରାମରେ କୃଷକଙ୍କ ସଶକ୍ତିକରଣ ଏବଂ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି। ଗତବର୍ଷ ଏହି ଅନୁଷ୍ଠାନ ପକ୍ଷରୁ ଗ୍ରାମରେ ପ୍ରାୟ ୨,୦୦୦ ଚାରା ରୋପଣ କରାଯାଇ ଏକ ସବୁଜ ପରିବେଶ ସୃଷ୍ଟିର ପ୍ରୟାସ କରାଯାଇଥିଲା।
ଅତିଥିମାନେ ସକ୍ଷମ ଅନୁଷ୍ଠାନର ଏହି ଗ୍ରାମୀଣ ବିକାଶମୂଳକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଚାଷୀମାନଙ୍କୁ ସରକାରୀ ଯୋଜନାର ସୁଫଳ ନେବାକୁ ଆହ୍ୱାନ ଦେଇଥିଲେ। ସକ୍ଷମର ସଭାପତି ଉମେଶ ବାବୁ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କୃଷକ ସଂଗଠନର ସଭାପତି ଜଗବନ୍ଧୁ ପ୍ରଧାନ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅମିତ କିଶାନ, ଟଙ୍କଧର କିଶାନ, ସୁଦାନ ମାଝୀ ଏବଂ ରାଜେଶ ସେଠ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
