ବନ୍ଧୁକ ଦେଖାଇ ଭିଡିଓ କରି ଯୁବକ ଗିରଫ: ୨ ବନ୍ଧୁକ ଜବତ

ନୟାଗଡ଼ : ବନ୍ଧୁକ ଦେଖାଇ ସୋସିଆଲ ମିଡିଆରେ ବିଭିନ୍ନ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।ଯୁବକ ଜଣକ ନୟାଗଡ଼ ହାଉସିଂବୋର୍ଡ ନିବାସୀ ଶିକ୍ଷକ ବିଭୂତି ଭୂଷଣ ଜେନାଙ୍କ ପୁଅ ମୋର୍ଯ୍ୟମଣି ଜୈତ୍ରଦେବ ଜେନା । ତାଙ୍କ ନିକଟରୁ ଦୁଇଟି ବନ୍ଧୁକ ଜବତ କରାଯାଇଛି। ମୋର୍ଯ୍ୟମଣି ବନ୍ଧୁକ ଦେଖାଇ ଖରାପ କମେଣ୍ଟ ଦେଉଥିବା ବ୍ୟକ୍ତିଙ୍କୁ ଧମକ ଦେବା ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ ।ଏହାକୁ ନେଇ ପୋଲିସ ନିଜଆଡୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିଥିଲେ ।

ସୂଚନା ଅନୁଯାୟୀ ମୋର୍ଯ୍ୟମଣି ନୟାଗଡ଼ର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି ନେତାଙ୍କ ଚରିତ୍ର ସଂହାର କରିବା ସହିତ ଅନେକ ନେତାଙ୍କୁ ଟାର୍ଗେଟ କରି ଭିଡିଓ ଅପଲୋଡ଼ କରୁଥିଲେ ।ତେଣୁ ଅନେକ ଲୋକ ମଧ୍ୟ ତାଙ୍କ ପ୍ରତି ସମାଲୋଚନା ମୂଳକ ଭିଡିଓ ସହିତ ଖରାପ କମେଣ୍ଟ୍ ଦେଉଥିଲେ।ଏହାକୁ ନେଇ ମୋର୍ଯ୍ୟମଣି ଦୁଇଟି ବନ୍ଧୁକ ଦେଖାଇ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ଼ କରିଥିଲେ ।ଏହି ଭିଡିଓ ନୟାଗଡ଼ ଏସଡିପିଓ ସୃଷ୍ଟି ପ୍ରଧାନଙ୍କ ନଜରକୁ ଆସିବା ପରେ ସେ ଏକ ଟିମ ଗଠନ କରି ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଥାନା ପୋଲିସକୁ ସାମିଲ କରି ଭୁବନେଶ୍ବର ଜାଆଁଳା ଅଞ୍ଚଳରେ ବିଭୂତିଙ୍କ ବାସଭବନରୁ ମୋର୍ଯ୍ୟମଣିକୁ ଧରିବା ସହିତ ଦୁଇ ବନ୍ଧୁକ ମଧ୍ୟ ଜବତ କରାଯାଇଛି।ଏହା ସହିତ ନୟାଗଡ଼ ହାଉସିଂବୋର୍ଡ ଅଞ୍ଚଳର ଘରକୁ ମଧ୍ୟ ଖାନତଲାସି ମଧ୍ୟ କରାଯାଇଛି । ସେ କେଉଁଠାରୁ ବନ୍ଧୁକ ଆଣିଲେ? ତାଙ୍କର ପୃଷ୍ଠପୋଷକ କିଏ ?ତାକୁ ନେଇ ପୋଲିସ ଛାନଭିନ କରୁଛି ।ଏହି ଘଟଣାକୁ ନେଇ ନୟାଗଡ଼ ଟାଉନ ଥାନା ଅଧିକାରୀ ରଶ୍ମୀରଂଜନ ପ୍ରଧାନଙ୍କ ଏତଲା ଆଧାରରେ ମାମଲା ରୁଜ୍ଜୁ କରାଯାଇଛି ।ମୌର୍ଯ୍ୟମଣିକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ତଦନ୍ତ ଅଧିକାରୀ ପଞ୍ଚାନନ ପରିଡ଼ା ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଦଫାରେ ମାମଲା ରୁଜ୍ଜୁ ହୋଇଛି ଏବଂ ଏହି ଘଟଣା ପଛରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଖୋଳତାଡ଼ ଜାରି ରହିଥିବା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.