ମଧ୍ୟପ୍ରଦେଶ : କୁନୋରେ ନୂଆ ଆଶା । ଭାରତର ପ୍ରୋଜେକ୍ଟ ଚିତା ପାଇଁ ଆସିଛି ଆଉ ଏକ ଖୁସି ଖବର । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଭାରତରେ ଜନ୍ମିତ ମାଈ ଚିତା KGP12 ଚାରିଟି ଶାବକକୁ ଜନ୍ମ ଦେଇଛି । ଏହାସହ ଦେଶରେ ଭାରତୀୟ ମାଟିରେ ଜନ୍ମିତ ଓ ବଞ୍ଚିଥିବା ଚିତା ସଂଖ୍ୟା ୩୬କୁ ବୃଦ୍ଧି ପାଇଥିବାବେଳେ ମୋଟ ଚିତା ସଂଖ୍ୟା ୫୬ରେ ପହଞ୍ଚିଛି । ଏହି ଜନ୍ମର ବିଶେଷତ୍ୱ ହେଉଛି, KGP12 ନିଜେ ଭାରତରେ ଜନ୍ମ ନେଇଥିଲା । ଏବେ ସେ ମା’ ହୋଇଥିବାରୁ ତା’ର ଚାରି ଶାବକ ପ୍ରୋଜେକ୍ଟ ଚିତାର ନୂଆ ପିଢ଼ିକୁ ଆଗକୁ ନେଇଛନ୍ତି । KGP12ର ମା’ ଗାମିନି ଓ ବାପା ପାୱାକ—ଉଭୟଙ୍କୁ ଦକ୍ଷିଣ ଆଫ୍ରିକାରୁ ଭାରତ ଅଣାଯାଇଥିଲା ।
୧୭ ସେପ୍ଟେମ୍ବର ୨୦୨୨ରେ ନାମିବିଆରୁ ଆସିଥିବା ଚିତାଙ୍କୁ କୁନୋରେ ଛଡ଼ାଯିବା ସହ ଭାରତରେ ଚିତା ପୁନଃପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହାର ଚାରି ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପରେ KGP12ର ଚାରି ଶାବକ ଜନ୍ମ ନେଇଛନ୍ତି । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହାକୁ ପ୍ରୋଜେକ୍ଟ ଚିତା ପାଇଁ ଏକ ଐତିହାସିକ ଓ ଆନନ୍ଦଦାୟକ ମୁହୂର୍ତ୍ତ ବୋଲି କହିଛନ୍ତି । ଚାରି ବର୍ଷ ପୂର୍ତ୍ତି ସହ ଚାରି ନୂଆ ଜୀବନର ଆଗମନକୁ ସେ ଭାରତର ଚିତା ସଂରକ୍ଷଣ ଅଭିଯାନରେ ଆଶା ଓ ସଫଳତାର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି ।
KGP12 ପାଇଁ ଏହା ଦ୍ୱିତୀୟ ଥର ମା’ ହେବାର ଅନୁଭୂତି । ଏହା ପୂର୍ବରୁ ଗତ ଏପ୍ରିଲରେ ସେ ଖୋଲା ଜଙ୍ଗଲରେ ଚାରିଟି ଶାବକକୁ ଜନ୍ମ ଦେଇଥିଲା । ତେବେ ମାସକ ମଧ୍ୟରେ ଚିତାବାଘ ଆକ୍ରମଣରେ ସେହି ଚାରି ଶାବକଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଏଥର ଜନ୍ମିତ ଚାରି ଶାବକଙ୍କ ସୁରକ୍ଷା ଉପରେ କୁନୋ କର୍ତ୍ତୃପକ୍ଷ ବିଶେଷ ନଜର ରଖିଛନ୍ତି । ଏଥର ଶାବକମାନେ ‘ସଫ୍ଟ ରିଲିଜ୍ ବୋମା’ ବା ଅର୍ଦ୍ଧ-ବନ୍ୟ ଘେର ମଧ୍ୟରେ ଜନ୍ମ ନେଇଛନ୍ତି । ମା’ ଓ ଶାବକମାନଙ୍କୁ ଯେପରି କୌଣସି ପ୍ରକାର ବିଚଳିତ କରାନଯାଏ, ସେଥିପାଇଁ ବନ କର୍ମଚାରୀମାନେ ଦୂରରୁ ସେମାନଙ୍କ ଉପରେ ନଜର ରଖୁଛନ୍ତି । ପ୍ରାଥମିକ ନିରୀକ୍ଷଣରେ ଚାରି ଶାବକ ସୁସ୍ଥ ଥିବା କୁନୋ କର୍ତ୍ତୃପକ୍ଷ କହିଛନ୍ତି । KGP12 ପୂର୍ବରୁ ମୁଖୀ ମଧ୍ୟ ଭାରତରେ ଜନ୍ମ ନେଇ ପରେ ମା’ ହୋଇଥିଲା । ଏବେ KGP12 କୁନୋର ଦ୍ୱିତୀୟ ଭାରତୀୟ-ଜନ୍ମିତ ମାଈ ଚିତା ଭାବେ ଶାବକ ଜନ୍ମ ଦେଇଛି ।
ଆଫ୍ରିକାରୁ ଆସିଥିବା ଚିତାଙ୍କ ପରବର୍ତ୍ତୀ ପିଢ଼ି ଭାରତରେ ଜନ୍ମ ନେବା ସହ ଏବେ ସେହି ପିଢ଼ି ମଧ୍ୟ ପ୍ରଜନନ କରୁଛି । ନୂଆ ଚାରି ଶାବକଙ୍କୁ ମିଶାଇ ଦେଶରେ ଏବେ ମୋଟ ୫୬ଟି ଚିତା ରହିଛନ୍ତି । ସେଥିମଧ୍ୟରୁ ୩୬ଟି ଭାରତରେ ଜନ୍ମିତ ଓ ବଞ୍ଚିଥିବା ଚିତା ହୋଇଥିବାବେଳେ ୨୦ଟି ଆଫ୍ରିକାରୁ ଅଣାଯାଇଛି। କୁନୋ ଜାତୀୟ ଉଦ୍ୟାନରେ ୫୩ଟି ଓ ଗାନ୍ଧୀ ସାଗର ଅଭୟାରଣ୍ୟରେ ୩ଟି ଚିତା ରହିଛନ୍ତି । ଆଗକୁ ରାଣୀ ଦୁର୍ଗାବତୀ ବ୍ୟାଘ୍ର ଅଭୟାରଣ୍ୟକୁ ଚିତାଙ୍କ ତୃତୀୟ ବାସସ୍ଥାନ ଭାବେ ପ୍ରସ୍ତୁତ କରିବାକୁ ଯୋଜନା ଚାଲିଛି । ୧୯୫୨ରେ ଭାରତରୁ ଚିତାକୁ ବିଲୁପ୍ତ ଘୋଷଣା କରାଯାଇଥିଲା । ସାତ ଦଶନ୍ଧି ପରେ ଆଫ୍ରିକାରୁ ଚିତା ଆଣି ସେମାନଙ୍କୁ ଭାରତୀୟ ଜଙ୍ଗଲରେ ପୁନଃପ୍ରତିଷ୍ଠା କରିବାର ପ୍ରୟାସ ଆରମ୍ଭ ହୋଇଥିଲା । ଏବେ ଭାରତରେ ଜନ୍ମିତ ଚିତା ନିଜେ ମା’ ହୋଇ ନୂଆ ପିଢ଼ି ସୃଷ୍ଟି କରିବା ଦୀର୍ଘମିଆଦୀ ଚିତା ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଗୁରୁତ୍ୱପୂର୍ଣ୍ଣ ଘଟଣା ।
