ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ୨୦୨୬ ର ବହୁ ପ୍ରତୀକ୍ଷିତ ଫଳାଫଳ ପ୍ରକାଶ ପାଇଛି । ଦୀର୍ଘ ୨୦ ରାଉଣ୍ଡ ଭୋଟ୍ ଗଣତି ପରେ ଆସିଥିବା ଏହି ଫଳାଫଳରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁଣିଥରେ ନିଜର ଦବଦବା ଜାହିର କରିଛି । ସମୁଦାୟ ୪ଟି କେନ୍ଦ୍ରୀୟ ପଦବୀରୁ ଏବିଭିପି ୩ଟି ପ୍ରମୁଖ ପଦବୀ ସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ହାତେଇଛି । ତେବେ ଏହି ନିର୍ବାଚନରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଜଣେ ସ୍ୱାଧୀନ ପ୍ରାର୍ଥୀ, ଯିଏକି ଉପସଭାପତି ପଦବୀ ଜିତି ଡିୟୁଏସୟୁ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ।
ସଭାପତି ପଦବୀ ପାଇଁ ହୋଇଥିବା କଡ଼ା ଟକ୍କରରେ ଏବିଭିପିର ଯଶ ଡାବାସ ବିଜୟୀ ହୋଇଛନ୍ତି । ସେ ସମୁଦାୟ ୨୪,୫୭୬ ଖଣ୍ଡ ଭୋଟ୍ ପାଇ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଏନଏସୟୁଆଇ ପ୍ରାର୍ଥୀ ବିଜୟ ଶଙ୍କର ମୀନାଙ୍କୁ ପରାସ୍ତ କରିଛନ୍ତି । ମୀନାଙ୍କୁ ୨୨,୫୨୩ ଖଣ୍ଡ ଭୋଟ୍ ମିଳିଛି । ସେହିପରି ସମ୍ପାଦକ ପଦବୀରେ ଏବିଭିପିର ରିୟା ଛାବଡ଼ି ୨୧,୬୫୦ ଖଣ୍ଡ ଭୋଟ୍ ସହ ବାଜିମାତ୍ କରିଥିବା ବେଳେ, ଲକ୍ଷ୍ୟ ରାଜ ସିଂହ ୧୬,୬୧୫ ଭୋଟ୍ ପାଇ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ଛାତ୍ର ସଙ୍ଗଠନ ଏନଏସୟୁଆଇ ଏଥର ଖାତା ଖୋଲିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।
ଅନ୍ୟପକ୍ଷରେ, ଉପସଭାପତି ପଦବୀର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ଏନଏସୟୁଆଇର ସଦସ୍ୟ ଥିବା ଦୀପାଂଶୁ ସୋକିନ୍ ଚଳିତ ଥର ସ୍ୱାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ସେ ସର୍ବାଧିକ ୩୦,୬୧୫ ଖଣ୍ଡ ଭୋଟ୍ ପାଇ ଏକ ବିପୁଳ ବିଜୟ ହାସଲ କରିଛନ୍ତି । ଏବିଭିପିର ଈଶୁ ମୌର୍ଯ୍ୟ ୧୬,୯୧୦ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସବୁଠୁ ଖାସ୍ କଥା ହେଉଛି, ନୂତନ ଉପସଭାପତି ଦୀପାଂଶୁଙ୍କ ପରିବାର ଏକ ସାଧାରଣ ଆର୍ଥିକ ପୃଷ୍ଠଭୂମିରୁ ଆସିଛନ୍ତି; ତାଙ୍କ ପିତା ଜଣେ ବସ୍ କଣ୍ଡକ୍ଟର ହୋଇଥିବା ବେଳେ ମାଆ ଜଣେ ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରି ଏକ ବୃହତ୍ ପରିସରରେ ତାଙ୍କର ଏହି ନିଆରା ସଫଳତା ସାଧାରଣ ବର୍ଗର ଛାତ୍ରମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି ।
ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହେବା ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସଜାଗ ଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶକ୍ରମେ ବିଜୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନଙ୍କୁ କ୍ୟାମ୍ପସ୍ ଭିତରେ ବା ବାହାରେ କୌଣସି ପ୍ରକାରର ବିଜୟ ଶୋଭାଯାତ୍ରା ନ ବାହାର କରିବାକୁ ନିର୍ବାଚନ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ।
