ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ମହାନଦୀ ଜଳ ବିବାଦ ସମାଧାନ

ଭୁବନେଶ୍ବର : ଭୁବନେଶ୍ବରରେ ପହଁଞ୍ଚିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ସମୟରେ ଦୀର୍ଘଦିନର ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର ହେବ ବୋଲି କହିଛନ୍ତି । ବିଷ୍ଣୁ ଦେଓ ସାଏଙ୍କ ଏହି ଗସ୍ତ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଏବେ ଆଗକୁ ବଢ଼ୁଛି । ଦୁଇ ଦିନିଆ ଗସ୍ତରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ଲୋଡ଼ିବି ।

ଗତ ଜୁଲାଇ ୩୦ରେ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ମୋହନ ଚରଣ ମାଝୀ ଓ ବିଷ୍ଣୁ ଦେଓ ସାଏଙ୍କ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ସେହି ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନାକୁ ସକାରାତ୍ମକ ବୋଲି କହିବା ସହ ଆଲୋଚନା ଓ ପାରସ୍ପରିକ ସହଯୋଗ ମାଧ୍ୟମରେ ସମାଧାନ ବାହାରିବା ନେଇ ଆଶା ପ୍ରକାଶ କରିଥିଲେ । ଉଭୟ ରାଜ୍ୟ ମଧ୍ୟ ବୈଷୟିକ ଆଲୋଚନା ଜାରି ରଖିବାକୁ ସହମତ ହୋଇଥିଲେ।

ମହାନଦୀର ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ରହିଛି । ଛତିଶଗଡ଼ ଉପରମୁଣ୍ଡରେ ନିର୍ମାଣ କରିଥିବା ବିଭିନ୍ନ ବ୍ୟାରେଜ୍ ଓ ଜଳ ପ୍ରକଳ୍ପ ଯୋଗୁଁ ଅଣମୌସୁମୀ ସମୟରେ ଓଡ଼ିଶାକୁ ମହାନଦୀର ଜଳପ୍ରବାହ ପ୍ରଭାବିତ ହେଉଥିବା ଓଡ଼ିଶାର ଅଭିଯୋଗ । ବିଶେଷ କରି ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳ ଏବଂ ତଳମୁଣ୍ଡରେ ଜଳ ଉପଲବ୍ଧତା ଉପରେ ଏହାର ପ୍ରଭାବ ପଡ଼ୁଥିବା ଓଡ଼ିଶା କହିଆସୁଛି । ବିବାଦର ସମାଧାନ ପାଇଁ ଓଡ଼ିଶାର ଅନୁରୋଧ ପରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ କରିଥିଲେ । ଆଇନଗତ ପ୍ରକ୍ରିୟା ସହ ଏବେ ଉଭୟ ରାଜ୍ୟ ଆଲୋଚନା ଓ ବୈଷୟିକ ସ୍ତରରେ ମଧ୍ୟ ସମାଧାନର ବାଟ ଖୋଜୁଛନ୍ତି ।

ad-week
Leave A Reply

Your email address will not be published.