ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲା ବଟୋଟରେ ଏକ କାର୍ ଭିତରୁ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଉଭୟଙ୍କୁ ଜିଲ୍ଲା ହସ୍ପିଟାଲ ରାମବନକୁ ନେଇଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଜିଆରତ ମୋଡ଼ ନିକଟ ସାନା ଅଞ୍ଚଳରେ ଏକ କାରରୁ ଏମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ପୋଲିସର ସୂଚନା ଅନୁସାରେ, ଦୁଇଜଣଙ୍କୁ କାର୍ ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କାରଟି ଜମ୍ମୁ-କଶ୍ମୀର ନମ୍ବର ପ୍ଲେଟରେ ପଞ୍ଜୀକୃତ ଥିଲା । ଉଭୟଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ହେଡ୍ କନଷ୍ଟେବଳ ଫରିଦ ଅହମଦ ଏବଂ ସିଲେକ୍ସନ ଗ୍ରେଡ୍ କନଷ୍ଟେବଳ ମହମ୍ମଦ ୟାକୁବ ବୋଲି ଜଣାପଡ଼ିଛି । ଦୁହେଁ ଡିପିଏଲ୍ ରାମବନରେ ନିୟୋଜିତ ଥିଲେ । ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ।
ଏହାପୂର୍ବରୁ କଶ୍ମୀରର ଅନନ୍ତନାଗ-କୋକରନାଗ ରୋଡରେ ମଧ୍ୟ ଜଣେ ପୋଲିସ କର୍ମଚାରୀଙ୍କ ଉପରେ ଗୁଳିମାଡ଼ ଘଟଣା ଘଟିଥିଲା । ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିଲେ । ଆଶିକ ହୁସେନ ବଡଗାମର ବାସିନ୍ଦା ଏବଂ IRP ୩ୟ ବାଟାଲିୟନରେ କାର୍ଯ୍ୟରତ ଥିଲେ । ଘଟଣା ପରେ ସୁରକ୍ଷାବଳ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରି ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅଭିଯାନ କରିଥିଲା ।
