ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀ ଏବଂ ନିର୍ବାଚନ ଆୟୋଗରେ ଥିବା ଆଭ୍ୟନ୍ତରୀଣ ମତଭେଦକୁ ନେଇ ଜାତୀୟ ରାଜନୀତି ଏବେ ସରଗରମ ହୋଇପାରିଛି । ବିଶେଷ କରି ଏସଆଇଆର ଏବଂ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଆକ୍ରମଣାତ୍ମକ ରୂପ ଧାରଣ କରିଛନ୍ତି । ଶୁକ୍ରବାର ଦିନ କଂଗ୍ରେସ ପକ୍ଷରୁ ସାରା ଦେଶରେ ଥିବା ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏହା ପୂର୍ବରୁ ଗୁରୁବାର ଦିନ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସିଇସି ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି କରିଥିଲେ। ଅନ୍ୟପକ୍ଷରେ, ‘କକରୋଚ୍ ଜନତା ପାର୍ଟି’ ସଙ୍ଗଠନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସିଇସି ଇସ୍ତଫା ନଦେଲେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ବିହାରର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଆରଜେଡି ପକ୍ଷରୁ ମଧ୍ୟ ସମାନ ଦାବି ନେଇ ଧାରଣା ପ୍ରଦର୍ଶନ କରାଯାଇଛି । କେବଳ ସେତିକି ନୁହେଁ, ସମ୍ବିଧାନିକ ଉପାୟରେ ସିଇସିଙ୍କ ବିରୋଧରେ ସଂସଦରେ ମହାଭିଯୋଗ ଆଣିବାକୁ ବିରୋଧୀ ମେଣ୍ଟ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି ।
ଆଇନଗତ ଦିଗରୁ ମଧ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ସିଇସିଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି । ସୋସିଆଲ୍ ମିଡିଆରେ ଜ୍ଞାନେଶ କୁମାରଙ୍କୁ ଜଣେ ‘ଠକ ଏଜେଣ୍ଟ’ ଭାବେ ଆକ୍ଷେପ କରି ମହୁଆ କହିଛନ୍ତି ଯେ, ସେ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତଙ୍କ ବିନା ସହମତିରେ ଏକତରଫା ଭାବେ ନିଷ୍ପତ୍ତି ନେଉଛନ୍ତି । ପ୍ରକୃତ ଭୋଟରଙ୍କ ଅଧିକାର ଛଡ଼ାଇ ନେବା କୌଣସି ସରକାରୀ କାର୍ଯ୍ୟ ନୁହେଁ ଏବଂ ତାଙ୍କ ବିରୋଧରେ ଆପରାଧିକ ମୋକଦ୍ଦମା ହେବା ଆବଶ୍ୟକ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।
ସେହିପରି ବମ୍ବେ ହାଇକୋର୍ଟର କୋହ୍ଲାପୁର ଖଣ୍ଡପୀଠରେ ପ୍ରଥମେଶ ଗୋପାଳ ଗୱାଣକରଙ୍କ ସମେତ ୪ ଜଣ ଆବେଦନକାରୀ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏହି ପିଟିସନରେ ଏକ ସାଂଘାତିକ ତଥ୍ୟ ଉପସ୍ଥାପନ କରାଯାଇ ଦାବି କରାଯାଇଛି ଯେ, ନିର୍ବାଚନ ଆୟୋଗର ଅନ୍ୟ ଦୁଇଜଣ ଆୟୁକ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ୧୪ ଥର ନିଜର ଆପତ୍ତି ଉଠାଇଥିଲେ । ଭୋଟର ପଞ୍ଜୀକରଣ, ତାଲିକାରୁ ନାମ ବାଦ୍ ଦେବା ଏବଂ ଇଆରଓ ମାନଙ୍କର କାର୍ଯ୍ୟଶୈଳୀକୁ ନେଇ ସେମାନେ ପ୍ରଶ୍ନ ଉଠାଇଥିଲେ । ଏଥିସହ ସୁପ୍ରିମକୋର୍ଟରେ ମଧ୍ୟ ଅବମାନନା ମାମଲା ରୁଜୁ କରିବା ପାଇଁ ଆଇନଜୀବୀ ବ୍ରଜେଶ ସିଂହ ଆଟର୍ଣ୍ଣି ଜେନେରାଲଙ୍କ ଅନୁମତି ଲୋଡ଼ିଛନ୍ତି ।
ବିରୋଧୀଙ୍କ ଏହି ଆଭିମୁଖ୍ୟ ଉପରେ ଶାସକ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ନିର୍ବାଚନ ଆୟୋଗର ସମସ୍ତ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ହିଁ ନିଆଯାଇଥାଏ । ସଂଖ୍ୟାଗରିଷ୍ଠତା ଭିତ୍ତିରେ ନିଷ୍ପତ୍ତି ନିଆଯାଉଥିବାର କୌଣସି ପ୍ରମାଣ ନାହିଁ । ବହୁ ଦଶନ୍ଧି ଧରି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ବଡ଼ ରାଜ୍ୟରେ କ୍ଷମତାରୁ ଦୂରରେ ଥିବା କଂଗ୍ରେସ ଏବଂ ରାହୁଲ ଗାନ୍ଧୀ କ୍ରମାଗତ ପରାଜୟ ଯୋଗୁଁ ନିଜର ରାଜନୈତିକ ସନ୍ତୁଳନ ହରାଇ ଏଭଳି ଭିତ୍ତିହୀନ ଆରୋପ ଲଗାଉଛନ୍ତି ବୋଲି ବିଜେପି ସମାଲୋଚନା କରିଛି ।
