ପାକିସ୍ତାନ: ଉତର-ପଶ୍ଚିମ ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ରାସ୍ତାକଡ ପୋଲିସ ଚେକ୍ପୋଷ୍ଟ ନିକଟରେ ଶନିବାର ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି । ହଠାତ୍ କିଏ କିଛି ବୁଝିବା ଆଗରୁ ବିସ୍ଫୋରକ ଭର୍ତି ଗାଡି ଆସି ଚେକ୍ପୋଷ୍ଟ ନିକଟରେ ପହଂଚିଥିଲା । ଚାହୁଁ ଚାହୁଁ ଗାଡିରୁ ଧୂଆଁ ବାହାରିବା ସହ ଜୋରଦାର ବିସ୍ଫୋରଣ ହେଲା । ଫଳରେ ଘଟଣାସ୍ଥଳରେ ଥିବା ପ୍ରାୟ ୧୧ଜଣଙ୍କ ମୃତ୍ୟୁୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଖୈବର ପ୍ରଦେଶର ଡେରା ଇସମାଇଲ ଖାନ୍ ଜିଲ୍ଲାରେ ଘଟିଛି ଏହି ଭୟଙ୍କର ବିସ୍ଫୋରଣ । ଆହତଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ସୂଚନା ରହିଛିି ।
ସୂଚନା ଅନୁସାରେ ପୋଲିସ ଚେକପୋଷ୍ଟକୁ ହିଁ ଟାର୍ଗେଟ କରାଯାଇଥିଲା । ଘଟଣା ପଛରେ ତେହେରିକ-ଏ-ତାଲିବାନ୍-ପାକିସ୍ତାନ (ଟିଟିପି)ର ହାତ ଥିବା ସେ ସ୍ୱୀକାର କରିଛି । ପରବର୍ତୀ ସମୟରେ ଅତିରିକ୍ତ ସୈନ୍ୟ ନେଇ ଯାଉଥିବା ଏକ ଗାଡି ଉପରେ ଆକ୍ରମଣ ହୋଇଛିା ସେଠାରେ କିଛି ମୃତାହତ ନେଇ ମଧ୍ୟ ସୂଚନା ରହିଛି । ଟିଟିପି ଆଫଗାନ୍ ତାଲିବାନ ଠାରୁ ଭିନ୍ନ ହୋଇଥିଲେ ବି ସେମାନଙ୍କ ସହ ମିଳିତ ଭାବେ କାମ କରେ । ସୂଚନା ଅନୁସାରେ ଆଫଗାନ୍-ତାଲିବାନ୍ ୨୦୨୧ରେ ଆଫଗାନିସ୍ଥାନରେ କ୍ଷମତାକୁ ଫେରିଥିଲା । ପାକିସ୍ତାନରେ ସାମ୍ପ୍ରତିକ ବର୍ଷ ଗୁଡିକରେ ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇଛି । ଏଥିରୁ ଅନେକ ଆକ୍ରମଣ ଟିଟିପି ଏବଂ ପଡୋଶୀ ବେଲୁଚିସ୍ତାନ ପ୍ରଦେଶରେ ମୁଖ୍ୟତଃ ସକ୍ରିୟ ଥିବା ଏକ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ, ନିଶିଦ୍ଧ ବାଲୁଚ୍ ଲିବରେସନ ଆର୍ମି ଦ୍ୱାରା ଦାବି କରାଯାଇଛି ।
