ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଏବେ ମହାନଦୀ ଅବବାହିକାରେ ଏକ ଛୋଟ ଧରଣର ବନ୍ୟା ଆସିବାର ସମ୍ଭାବନା ଦେଖାଦେଇଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ରବିବାର ସୂଚନା ଦେଇଛନ୍ତି ଯେ, ସୋମବାର ସକାଳ ପ୍ରାୟ ୯ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ୍ ଦେଇ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ଆକଳନ କରାଯାଇଛି । ଏଥିପାଇଁ ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି ।
ଦିଲୀପ ରାଉତ କହିଛନ୍ତି ଯେ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ୨୮ଟି ଗେଟ୍ ଖୋଲାଯାଇଛି । ମୁଣ୍ଡଳୀଠାରେ ଯେପରି ଜଳପ୍ରବାହ ୮ ଲକ୍ଷ କ୍ୟୁସେକ୍ରୁ ଅଧିକ ନହୁଏ, ସେଥିପାଇଁ ହୀରାକୁଦ ଡ୍ୟାମ୍ରୁ ଖଲାସ ହେଉଥିବା ପାଣିକୁ କଡ଼ା ନିୟନ୍ତ୍ରଣରେ ରଖାଯାଇଛି । ତେବେ ମହାନଦୀର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ନଦୀକୂଳବର୍ତ୍ତୀ ତଥା ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ । ସୁରକ୍ଷା ଦୃଷ୍ଟିରୁ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଶେଷକରି ନଦୀବନ୍ଧଗୁଡ଼ିକରେ ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ରାଜ୍ୟର ଅନ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ଆରମ୍ଭ କରିଛି, ଯାହା ଉଭୟ ପ୍ରଶାସନ ଓ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ବିପଦ ସଙ୍କେତ (୧୮.୩୩ ମିଟର) ତଳେ ୧୮.୨୧ ମିଟରରେ ରହିଛି । ସେହିପରି ଗୋବିନ୍ଦପୁରଠାରେ ବୁଢ଼ାବଳଙ୍ଗର ଜଳସ୍ତର ୮.୧୩ ମିଟର ବିପଦ ସଙ୍କେତ ଥିବା ବେଳେ ଏହା ୭.୮୬ ମିଟରରେ ପ୍ରବାହିତ ହେଉଛି ।
ରବିବାର ସନ୍ଧ୍ୟା ସୁଦ୍ଧା ଏହା ଆହୁରି ହ୍ରାସ ପାଇ ୭.୨୧ ମିଟରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ତେବେ ଜଳକା ନଦୀର ସ୍ଥିତି ଏବେ ବି ସାମାନ୍ୟ ଉଦବେଗଜନକ ରହିଛି । ଏଠାରେ ବିପଦ ସଙ୍କେତ ୬.୫ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬.୬୬ ମିଟର ରହିଛି, ଯାହା ଆଗାମୀ ୨୪ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସ୍ଥିର ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ଇନ୍ଦ୍ରାବତୀ, କୋଲାବ, ବାଲିମେଳା, ବଂଶଧାରା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କମିବାରେ ଲାଗିଛି । “ବର୍ତ୍ତମାନ ଦକ୍ଷିଣ ଓଡ଼ିଶାରେ ବନ୍ୟା ଭଳି କୌଣସି ବଡ଼ ସମସ୍ୟା ନାହିଁ । ଏବେ ଆମର ସମ୍ପୂର୍ଣ୍ଣ ଧ୍ୟାନ କେବଳ ମହାନଦୀ ଉପରେ କେନ୍ଦ୍ରୀଭୂତ ହୋଇଛି,” ବୋଲି ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ସ୍ପଷ୍ଟ କରିଛନ୍ତି ।
