ବିଧାନସଭାରେ ଭେଜାଲ୍ ଛେନା-ପନିର ତାତି: ନିଆଳିରେ ୨୭୫ ବେପାରୀଙ୍କ ନାଁରେ ମାମଲା

ଭୁବନେଶ୍ୱର: ରାଜ୍ୟରେ ଏବେ ଛେନା ଓ ପନିର ନାଁରେ ବିଷ ବିକ୍ରି ହେଉଛି । ଅଧିକ ଲାଭ ଆଶାରେ କିଛି ଅସାଧୁ ବ୍ୟବସାୟୀ ଛେନା ଓ ପନିରରେ ଷ୍ଟାର୍ଚ୍ଚ (ଶ୍ୱେତସାର) ଏବଂ ଡିଟରଜେଣ୍ଟ ଭଳି ମାରାତ୍ମକ ରସାୟନିକ ଦ୍ରବ୍ୟ ଅପମିଶ୍ରଣ କରୁଛନ୍ତି, ଯାହା ସିଧାସଳଖ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି । ରାଜ୍ୟରେ ବ୍ୟାପକ ହେଉଥିବା ଏହି ଖାଦ୍ୟ ଅପମିଶ୍ରଣ ପ୍ରସଙ୍ଗ ବିଧାନସଭାରେ ଜୋରଦାର ଉଠିଛି । ଏହି ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ବିସ୍ତୃତ ତଥ୍ୟ ରଖିବା ସହ ନକଲି କାରବାର ଉପରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସ୍ପଷ୍ଟ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି ଯେ, ବଜାରରେ ବିକ୍ରି ହେଉଥିବା ଭେଜାଲ୍ ଦୁଗ୍ଧଜାତ ସାମଗ୍ରୀ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି । ସାରା ରାଜ୍ୟରେ ଏପର୍ଯ୍ୟନ୍ତ ୧୮ଟି ସ୍ୱତନ୍ତ୍ର ସ୍ପେଶାଲ୍ ଡ୍ରାଇଭ୍ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଛେନା ଉତ୍ପାଦନ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲ୍ଲାର ନିଆଳି ଅଞ୍ଚଳ ଏବେ ଅପମିଶ୍ରଣର ମୁଖ୍ୟ କେନ୍ଦ୍ର ପାଲଟିଛି । ଏଠାରେ ଛେନାରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ୨୭୫ ଜଣ ଅସାଧୁ ବେପାରୀଙ୍କ ନାମରେ ଏତଲା ରୁଜୁ କରିଛନ୍ତି । ସେହିପରି କଟକ ସହରରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୭୧ କ୍ୱିଣ୍ଟାଲ୍ ଭେଜାଲ୍ ପନିର ଜବତ କରାଯାଇ ନଷ୍ଟ କରାଯାଇଛି । ଏତେ ବିପୁଳ ପରିମାଣର ନକଲି ପନିର ବଜାରକୁ ଆସିଥିଲେ ତାହା କେତେ ଲୋକଙ୍କ ସ୍ୱାସ୍ଥ୍ୟହାନି ଘଟାଇଥାନ୍ତା, ତାହା ସହଜେ ଅନୁମେୟ ।

ମନ୍ତ୍ରୀ ମହାଲିଙ୍ଗ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଖାଦ୍ୟ ଅପମିଶ୍ରଣ ବିରୋଧରେ ଚାଲିଥିବା ଅଭିଯାନରେ ୯୫ ଲକ୍ଷ ୯୧ ହଜାର ଟଙ୍କାର ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି । ଏହି ସମୟ ସୀମା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସମୁଦାୟ ୭,୩୯୨ଟି ଆଇନଗତ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି । ଏଥିମଧ୍ୟରୁ ଯେଉଁ ରିପୋର୍ଟଗୁଡ଼ିକରେ ଅପମିଶ୍ରଣ ପ୍ରମାଣିତ ହୋଇଛି, ସେହି ଆଧାରରେ ରାଜ୍ୟରେ ମୋଟ ୪୧୩ଟି ମାମଲା ରୁଜୁ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବଜାରରେ ଛେନା ଓ ପନିରର ଚାହିଦା ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗକୁ ଅଧିକ ସକ୍ରିୟ କରାଯାଇଛି ବୋଲି ଜଣାପଡିଛି । ସାଧାରଣ ଖାଉଟିମାନେ ମଧ୍ୟ ବଜାରରୁ ଖୋଲା ଛେନା ଓ ପନିର କିଣିବା ବେଳେ ଏହାର ମାନ ଯାଞ୍ଚ କରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ad-week
Leave A Reply

Your email address will not be published.