ବ୍ରହ୍ମପୁର :
ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ପୁଣି ଥରେ ରକ୍ତପାତ ଦେଖିବାକୁ ମିଳିଛି। ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟୁନା ନାୟକ ନାମକ ଜଣେ ଦୁର୍ଦ୍ଦାନ୍ତ ଯୁବକଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଟୁନା ନାୟକଙ୍କ ସହିତ କିଛି ବ୍ୟକ୍ତିଙ୍କର ଦୀର୍ଘ ଦିନରୁ ବିବାଦ ଓ ଶତ୍ରୁତା ଲାଗି ରହିଥିଲା। ସେହି ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଦୁର୍ବୃତ୍ତମାନେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ଗଳା କାଟି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ନିମଖଣ୍ଡି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ବିଟୁ ସାହୁ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି।
ପ୍ରକାଶ ଥାଉ କି, ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅପରାଧୀଙ୍କ ଉତ୍ପାତ ପୁଣି ବଢ଼ିବାରେ ଲାଗିଛି। ଦିନଦ୍ୱିପ୍ରହରରେ ଏଭଳି ହତ୍ୟାକାଣ୍ଡ ଘଟାଇ ଅସାମାଜିକ ତତ୍ତ୍ୱମାନେ ପୁଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ଚର୍ଚ୍ଚା ହେଉଛି। ଜିଲ୍ଲାରେ ବେଆଇନ ବାଲି ଚାଲାଣ ଓ ଚୋରା ମଦ କାରବାର ପୂର୍ବରୁ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ, ଏବେ ପାର୍ବଣ ଆଳରେ ଗାଁଠୁ ସହର ସବୁଠି ଜୁଆ ଆଡ୍ଡା ସକ୍ରିୟ ହୋଇଉଠିଲାଣି। ଯଦି ପୁଲିସ ତୁରନ୍ତ କଡ଼ା ପଦକ୍ଷେପ ନନିଏ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି ନକରେ, ତେବେ ଆଗକୁ ଆଇନଶୃଙ୍ଖଳା ପରିସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି।
