ଭୋଟର ତାଲିକାରେ ନାମ ସାମିଲ ଏବେ ଆହୁରି ସହଜ : ଫର୍ମ-୬ରୁ ହଟିଲା ୨୦୦୨ ଭୋଟର ତାଲିକା ସମ୍ପର୍କିତ ଅତିରିକ୍ତ ଘୋଷଣାନାମା

କନ୍ଧମାଳ : କନ୍ଧମାଳ ଜିଲ୍ଲାର ନୂତନ ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଭୋଟର ତାଲିକାରେ ନାମ ସାମିଲ ପ୍ରକ୍ରିୟାକୁ ଆହୁରି ସରଳ କରିଛନ୍ତି ଭାରତ ନିର୍ବାଚନ ଆୟୋଗ। ଏଣିକି ଫର୍ମ-୬ ଦାଖଲ ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ପର୍କିତ ଅତିରିକ୍ତ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ ନାହିଁ। ନିକଟରେ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ସମାପ୍ତ ହୋଇଥିଲେ ମଧ୍ୟ ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନଙ୍କ ପାଇଁ ପଞ୍ଜୀକରଣର ସୁଯୋଗ ଖୋଲା ରହିଛି। ସେମାନେ ଏବେ ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ମାଧ୍ୟମରେ ନାମ ସାମିଲ ପାଇଁ ଆବେଦନ କରିପାରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ, ଏସଆଇଆର ସମୟରେ କୌଣସି ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଥିଲେ, ପୁନର୍ବାର ନାମ ସାମିଲ ପାଇଁ ଆବେଦନ କରିବାବେଳେ ୨୦୦୨ ମସିହାର ଭୋଟର ତାଲିକାରେ ନିଜ ନାମ କିମ୍ବା ପିତାମାତା, ଜେଜେବାପା-ଜେଜେମାଆଙ୍କ ନାମ ଥିବା ସମ୍ପର୍କିତ ଅତିରିକ୍ତ ପ୍ରମାଣ ବା ଘୋଷଣାନାମା ଦେବାକୁ ହେବ ନାହିଁ। ଫଳରେ ନାମ ପଞ୍ଜୀକରଣ ପ୍ରକ୍ରିୟା ଆହୁରି ସରଳ ହେବ ବୋଲି ଆଶା କରାଯାଉଛି। ତେବେ ଫର୍ମ-୬ ଦାଖଲ କରିଦେଲେ ମାତ୍ର ନାମ ସ୍ୱୟଂକ୍ରିୟ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ। ତାଲିକାର ଶୁଦ୍ଧତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଆବେଦନପତ୍ରରେ ଦିଆଯାଇଥିବା ତଥ୍ୟ ଓ ଆବଶ୍ୟକ ଦସ୍ତାବିଜର ଯାଞ୍ଚ ପୂର୍ବଭଳି ଜାରି ରହିବ। ଯାଞ୍ଚ ପରେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ସମ୍ପୃକ୍ତ ନିର୍ବାଚନ କର୍ତ୍ତୃପକ୍ଷ ନାମ ସାମିଲ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
କନ୍ଧମାଳ ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକ ଏହି ସୁଯୋଗର ସଦୁପଯୋଗ କରି ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.