ନକଲି ସୁନା ବନ୍ଧକ ରଖି ତିନିଜଣ ଗିରଫ

ନୟାଗଡ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଗୋଲ୍ଡ ଲୋନ୍‌କୁ ନେଇ ଠକେଇ ଅଭିଯୋଗ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ପ୍ରତାପପ୍ରସାଦ ମଜୁରିଆପଲ୍ଲୀ ଗ୍ରାମର ରମେଶ ଜଗତସିଂହ ଓ କରୁଣାକର ପଟ୍ଟନାୟକ ଗୋଲ୍ଡ ଲୋନ୍ ନେଇଥିଲେ। ସୂଚନା ଅନୁସାରେ, ରମେଶ ଜଗତସିଂହ ୨୦୨୫ ମେ ୩୦ ତାରିଖରେ ୫ ଲକ୍ଷ ୨୦ ହଜାର ଓ ୧ ଲକ୍ଷ ୪୦ ହଜାର ଟଙ୍କାର ଦୁଇଟି ଗୋଲ୍ଡ ଲୋନ୍ ନେଇଥିଲେ। ଅନ୍ୟପକ୍ଷରେ କରୁଣାକର ପଟ୍ଟନାୟକ ମଧ୍ୟ ସେହି ତାରିଖରେ ୧ ଲକ୍ଷ ୪୦ ହଜାର ଟଙ୍କାର ଗୋଲ୍ଡ ଲୋନ୍ ନେଇଥିବା ଅଭିଯୋଗ ରହିଛି।ବ୍ୟାଙ୍କ ପକ୍ଷରୁ ନୋଟିସ୍ ଦିଆଯାଇଥିଲେ ମଧ୍ୟ ଋଣ ପରିଶୋଧ ହୋଇନଥିବାରୁ ନିୟମିତ ଯାଞ୍ଚ ସମୟରେ ଗହଣାର ସତ୍ୟତା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଯାଞ୍ଚ ଓ ପରୀକ୍ଷଣରେ ଗହଣାଗୁଡ଼ିକ ନକଲି ସୁନା ବୋଲି ଜଣାପଡ଼ିଥିବା ପୁଲିସ କହିଛି।ଏହି ଦୁଇଟି ଗୋଲ୍ଡ ଲୋନ୍‌ରେ ଅପ୍ରେଜର ଭାବେ ଇଟାମତି ପ୍ରଧାନସାହିର ଅଜିତ କୁମାର ସାଥୁଆ ଗହଣାର ଭେରିଫିକେସନ୍ ଓ ଭାଲୁଏସନ୍ କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ପରେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଲିଗାଲ୍ ମେଟ୍ରୋଲୋଜି ଇନ୍ସପେକ୍ସନ୍ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ଗହଣାର ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି। ଏଥିରେ ୧୦୦ ଗ୍ରାମରୁ ଅଧିକ ଗହଣା ନକଲି ବୋଲି ଚିହ୍ନଟ ହୋଇଥିବା ପୁଲିସ କହିଛି।ଏହି ଘଟଣାକୁ ନେଇ ଇଟାମତି ଥାନାରେ କେସ୍ ନମ୍ବର ୩୫୪, ତାରିଖ ୧ ଅକ୍ଟୋବର ୨୦୨୬ରେ BNSର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା। ମାମଲାରେ ରମେଶ ଜଗତସିଂହ, କରୁଣାକର ପଟ୍ଟନାୟକ ଏବଂ ଅପ୍ରେଜର ଅଜିତ କୁମାର ସାଥୁଆଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.