- ଗୋଟିଏ ଦିନରେ ୨୮୦ ଉପଭୋକ୍ତା ରୁଫଟପ୍ ସୋଲାର ପାଇଁ ପଞ୍ଜୀକରଣ କଲେ
- ଜିଲ୍ଲା ପ୍ରଶାସନ, ବ୍ୟାଙ୍କ, ଆର୍ଇସି, ସୋଲାର ବିକ୍ରେତା ଓ ଟିପିଏସ୍ଓଡିଏଲ୍ର ଟିମ୍ ପକ୍ଷରୁ ଏକ ସ୍ଥାନରେ ସମସ୍ତ ପ୍ରକାର ସହାୟତା
ବ୍ରହ୍ମପୁର, ଅକ୍ଟୋବର: ରୁଫଟପ୍ ସୋଲାର ସମ୍ପର୍କିତ ସୂଚନା ଓ ସୁବିଧାକୁ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ମାସବ୍ୟାପୀ ‘ସେବା ସଙ୍କଳ୍ପ ଅଭିଯାନ’ର ଅଂଶ ଭାବେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଡିଆର୍ଡିଏର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଏକ ବୃହତ୍ ‘ସେବା ସେତୁ’ ଶିବିର ଆୟୋଜନ କରାଯାଇଛି। ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ୟୁଏଲ୍ଏ) ମଡେଲ୍ ଅଧୀନରେ ରୁଫଟପ୍ ସୋଲାର ସମ୍ପର୍କରେ ସଚେତନତା ବଢ଼ାଇବା, ଉପଭୋକ୍ତାଙ୍କୁ ସହାୟତା ଯୋଗାଇବା ଏବଂ ରୁଫଟପ୍ ସୋଲାର ଗ୍ରହଣକୁ ତ୍ୱରାନ୍ୱିତ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଶିବିରରେ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ,ମାନ୍ୟବର ବିଧାୟକ,ଛତ୍ରପୁର ଏବଂ ଶ୍ରୀ କୀର୍ତ୍ତି ଭାସନ୍ ଭି., ଆଇଏଏସ୍, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମ ଯୋଗଦେଇଥିଲେ। ଉପଭୋକ୍ତାଙ୍କ ନିକଟରେ ସୂଚନା, ସହାୟତା ଓ ରୁଫ୍ ଟପ୍ ସୋଲାର ସମ୍ପର୍କିତ ସମସ୍ତ ତଥ୍ୟ ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ। ଏହା ସହିତ ଏମ୍ଏନ୍ଆର୍ଇର ବୈଜ୍ଞାନିକ ଶ୍ରୀ ହିରେନ୍ ଚନ୍ଦ୍ର ବୋରା, ଏବଂ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସାଇଦତ୍ତ ବିପ୍ଲବ ପ୍ରଧାନ ଆଭାଷୀ ମାଧ୍ୟମରେ ଯୋଗ ଦେଇଥିଲେ। ଏଥିସହିତ ଆର୍ଇସିର ସିପିଏମ୍ ଶ୍ରୀ ଏ. ଶ୍ୟାମାପ୍ରସାଦ ରାଓ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ।
ଉପଭୋକ୍ତାଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସୂଚନା ଓ ସହାୟତା ଯୋଗାଇବା ପାଇଁ ଏହି ଶିବିରକୁ ଏକ ‘ସିଙ୍ଗଲ୍ ୱିଣ୍ଡୋ’ ସୁବିଧା କେନ୍ଦ୍ର ଭାବେ ଆୟୋଜନ କରାଯାଇଥିଲା। ଏଠାରେ ବ୍ୟାଙ୍କ ଅଧିକାରୀ, ଆର୍ଇସିର ପ୍ରତିନିଧି, ତାଲିକାଭୁକ୍ତ ସୋଲାର ଭେଣ୍ଡର ଏବଂ ଟିପିଏସ୍ଓଡିଏଲ୍ର ଟିମ୍ ଏକାଠି ହୋଇ ଉପଭୋକ୍ତାଙ୍କୁ ରୁଫଟପ୍ ସୋଲାର ସମ୍ପର୍କିତ ବିଭିନ୍ନ ବିଷୟରେ ସହାୟତା ପ୍ରଦାନ କରିଥିଲେ। ଏଥିରେ ଯୋଜନାର ସୁବିଧା, ଯୋଗ୍ୟତା, ସରକାରୀ ସବସିଡି, ଋଣ ଓ ଅର୍ଥ ଯୋଗାଣ ବ୍ୟବସ୍ଥା, ସୋଲାର ଭେଣ୍ଡର ଚୟନ, ଆବଶ୍ୟକ କାଗଜପତ୍ର, ସ୍ଥାପନ ଏବଂ ଆବେଦନ ପ୍ରକ୍ରିୟା ଭଳି ବିଭିନ୍ନ ବିଷୟରେ ଉପଭୋକ୍ତାଙ୍କୁ ଜଣାଯାଇଛି।
ଏହି ବୃହତ୍ ଶିବିରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଉପଭୋକ୍ତା ଯୋଗଦେଇଥିଲେ। ଗୋଟିଏ ଦିନରେ ୨୮୦ ଜଣ ଉପଭୋକ୍ତା ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଏଲ୍ଏ ମଡେଲ୍ ଅଧୀନରେ ରୁଫଟପ୍ ସୋଲାର ପାଇଁ ପଞ୍ଜୀକରଣ କରିଥିଲେ। ଏହି ଉତ୍ସାହଜନକ ପ୍ରତିକ୍ରିୟା ଘରୋଇ ଉପଭୋକ୍ତାଙ୍କ ମଧ୍ୟରେ ସ୍ୱଚ୍ଛ ଶକ୍ତି ପ୍ରତି ବଢ଼ୁଥିବା ଆଗ୍ରହକୁ ପ୍ରତିଫଳିତ କରୁଛି। ରୁଫଟପ୍ ସୋଲାର ଗ୍ରହଣ ଦ୍ୱାରା ଉପଭୋକ୍ତାମାନେ ସ୍ୱଚ୍ଛ ଶକ୍ତି ବ୍ୟବହାର କରିବା ସହ ପାରମ୍ପରିକ ବିଦ୍ୟୁତ ଉପରେ ନିଜର ନିର୍ଭରଶୀଳତା କମାଇପାରିବେ।
ଟିପିଏସ୍ଓଡିଏଲ୍ର ତରଫରୁ ରୁଫଟପ୍ ସୋଲାର ଗ୍ରହଣ କ୍ଷେତ୍ରରେ ଗଞ୍ଜାମ ଓଡ଼ିଶାର ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୩,୪୪୨ଟି ରୁଫଟପ୍ ସୋଲାର ସ୍ଥାପନ କରାଯାଇଛି। ରୁଫଟପ୍ ସୋଲାରର ଆର୍ଥିକ ଓ ପରିବେଶଗତ ଲାଭ ସମ୍ପର୍କରେ ଉପଭୋକ୍ତାଙ୍କ ଆଗ୍ରହ ବଢ଼ିବା ସହ ନିରନ୍ତର ସଚେତନତା, ସହାୟତା ଓ କାର୍ଯ୍ୟାନ୍ୱୟନ ଉଦ୍ୟମ ଯୋଗୁଁ ଗଞ୍ଜାମରେ ରୁଫଟପ୍ ସୋଲାରର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଛି।
ଦକ୍ଷିଣ ଓଡ଼ିଶାର ଏହାର ଆଠଟି ଜିଲ୍ଲାରେ ରୁଫଟପ୍ ସୋଲାରକୁ ପ୍ରୋତ୍ସାହନ ଦେବା ପାଇଁ ଟିପିଏସ୍ଓଡିଏଲ୍ ବିଭିନ୍ନ ସ୍ତରରେ ପଦକ୍ଷେପ ନେଉଛି। ଏଥିପାଇଁ ଘରକୁ ଘର ସଚେତନତା ଅଭିଯାନ, ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ, ବ୍ଲକ୍ ସ୍ତରରେ କାର୍ଯ୍ୟକ୍ରମ, ‘ସୋଲାର ରଥ’, ପଥପ୍ରାନ୍ତ ନାଟକ, ଗ୍ରାମସଭା, ବିଭିନ୍ନ ଅଂଶୀଦାର ଓ ସୋଲାର ଭେଣ୍ଡରଙ୍କ ସହ ବୈଠକ ସମେତ ବିଭିନ୍ନ ସୋଲାର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
‘ସେବା ସଙ୍କଳ୍ପ ଅଭିଯାନ’ର ଅଂଶ ଭାବେ ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲାରେ ‘ସେବା ସେତୁ’ ଶିବିର ଆୟୋଜନ କରାଯାଉଛି। ଏହି ଶିବିରଗୁଡ଼ିକ ମାଧ୍ୟମରେ ଉପଭୋକ୍ତାମାନେ ରୁଫଟପ୍ ସୋଲାର ସମ୍ପର୍କିତ ସୂଚନା ଓ ଆବଶ୍ୟକ ସହାୟତା ସିଧାସଳଖ ପାଇପାରୁଛନ୍ତି। ବିଶେଷକରି ଆବେଦନଠାରୁ ଆରମ୍ଭ କରି ସୋଲାର ସ୍ଥାପନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସହଜ କରିବା ସହ ଉପଭୋକ୍ତାଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନ ଓ ସନ୍ଦେହ ଦୂର କରିବାରେ ଏହି ଶିବିରଗୁଡ଼ିକ ସହାୟକ ହେଉଛି।
ଉପଭୋକ୍ତାଙ୍କୁ କେନ୍ଦ୍ରରେ ରଖି ନିଆଯାଉଥିବା ଏହି ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ସ୍ୱଚ୍ଛ ଶକ୍ତି ଆପଣାଇବାର ସୁବିଧାକୁ ଶେଷ ଧାଡ଼ିରେ ଥିବା ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ସହ ଦକ୍ଷିଣ ଓଡ଼ିଶାରେ ସୁଲଭ, ସ୍ଥାୟୀ ଏବଂ ସମସ୍ତଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ସହିତ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଆଗେଇ ନେବା ପାଇଁ ନିଜର ପ୍ରୟାସ ଜାରି ରଖିଛି।
