ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପଣ୍ଡରିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ଠାରୁ ଭାଲିଆଡିହି ରାସ୍ତା ନିର୍ମାଣକୁ ନେଇ ପୁଣିଥରେ ବିବାଦ ଦେଖାଯାଇଛି । ରାସ୍ତା ନିର୍ମାଣକୁ ଭାଲିଆଡିହି ଗ୍ରାମବାସୀ ପୁନର୍ବାର ବିରୋଧ କରିବାରୁ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ବନ୍ଦ କରିଦେଇଛି ।ଏହାକୁ ନେଇ ଦେଓଗାଁ ଗ୍ରାମବାସୀ ନୟାଗଡ଼ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ଅହୋରାତ୍ର ଧାରଣା ଦେଇଛନ୍ତି ।ଯେ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବନାହିଁ, ସେ ପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହୃତ ହେବନାହିଁ ବୋଲି ଦେଓଗାଁ ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି। ଏହି ଧାରଣାରେ ଶତାଧିକ ଲୋକ ବସି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପାଇଁ ଏହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।
ଏହି ରାସ୍ତା ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦେଓଗାଁ ଏବଂ ଭାଲିଆଡିହି ମଧ୍ୟରେ ବିବାଦ ଲାଗିଥିବା ବେଳେ ପ୍ରସ୍ତାବିତ ରାସ୍ତାକୁ ଭାଲିଆଡିହି ଗ୍ରାମବାସୀ ବିରୋଧ କରୁଥିବା ବେଳେ ତହସିଲଦାରଙ୍କ ନକ୍ସା ଆଧାରରେ ରାସ୍ତା ନିର୍ମାଣ କରାଯାଉ ବୋଲି ଦେଓଗାଁ ଗ୍ରାମବାସୀ ଜିଦ୍ ଧରିଛନ୍ତି ।ଉକ୍ତ ରାସ୍ତା ନିର୍ମାଣ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରିଛନ୍ତି ।ଜିଲ୍ଲା ପ୍ରଶାସନ ଓ ପୋଲିସ ବାହିନୀ ମିଳିତ ଭାବରେ ଉପସ୍ଥିତ ରହିଲେ ରାସ୍ତା ନିର୍ମାଣ ହୋଇପାରିବ ବୋଲି ଆଶା କରାଯାଉଛି।ବିଳମ୍ବିତ ରାତିରେ ଧାରଣା ସ୍ଥଳରେ ବସିଥିବା ଦେଓଗାଁ ସଭାପତି ଅଣନିଶ୍ୱାସୀ ହୋଇ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
