ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ କଲେଜ କ୍ୟାମ୍ପସ

ନୟାଗଡ଼: ଛାତ୍ର ସଂସଦ ନିର୍ବାଚନ ପାଇଁ ନୟାଗଡ଼ ଜିଲ୍ଲାର ପ୍ରମୁଖ ଛାତ୍ର ସଂଗଠନ ଓ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ତୀବ୍ର ହେବାରେ ଲାଗିଛି ।ଛାତ୍ର ସଂଗଠନ ଗୁଡ଼ିକ ପ୍ରାର୍ଥୀ ଚୟନ କରି ପ୍ରଚାର ଆରମ୍ଭ କରିଥିବା ବେଳେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏହାକୁ ନେଇ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି। ଏହି ବୈଠକରେ ନୟାଗଡ଼ ଏସପି ଶୁଭେନ୍ଦୁ ପାତ୍ର, ତହସିଲଦାର ରାଜେଶ କେଶରୀ ସାହୁଙ୍କ ସମେତ ବହୁ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନେ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାରେ ଥିବା ୨୨ଟି ଡିଗ୍ରୀ କଲେଜ ମଧ୍ୟରୁ ୧୧ ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ନିର୍ବାଚନ ପାଇଁ ମହାବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଜିଲ୍ଲାରେ ଥିବା ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ,ରଣପୁର ଡିଗ୍ରୀ କଲେଜ, ରାଜସୁନାଖଳା ଡିଗ୍ରୀ କଲେଜ, ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟ, ଟିକିରିପଡ଼ା ବାଲୁଙ୍କେଶ୍ୱର ଦେଵ ଡିଗ୍ରୀ କଲେଜ, ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ କଲେଜ ଗଣିଆ, ଶରଣକୁଳ ଡିଗ୍ରୀ କଲେଜ, ପଠାଣି ସାମନ୍ତ ଡିଗ୍ରୀ କଲେଜ ଖଣ୍ଡପଡ଼ା ରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ନିର୍ବାଚନ ହେଉ ନଥିବା କଲେଜ ଗୁଡିକରେ ଛାତ୍ର ସଂସଦ କର୍ମକର୍ତ୍ତା ଚୟନ ହୋଇପାରେ ବୋଲି ସୂଚନା ମିଳିଛି।
ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ପ୍ରମୁଖ ଛାତ୍ର ସଂଗଠନ ଏବିଭିପି, ବିଜୁ ଛାତ୍ର ଜନତା ଦଳ, ଛାତ୍ର କଂଗ୍ରେସ ପକ୍ଷରୁ ପାର୍ଥି ଚୟନ ପାଇଁ ଜୋରଦାର କସରତ କରାଯାଉଛି ।ସରକାରଙ୍କ ନିୟମ ଅନୁଯାୟୀ ଅନେକ ଆଶାୟୀ ପ୍ରାର୍ଥୀ ବାଦ ପଡ଼ୁଥିବା ବେଳେ ନିୟମ ପରିସରରେ ଆସୁଥିବା ଛାତ୍ରଙ୍କୁ ପ୍ରାର୍ଥୀ କରାଯାଉଛି । ୯ ତାରିଖରେ ହେବାକୁ ଥିବା ନାମାଙ୍କନ ପରେ ନିର୍ବାଚନର ସ୍ପଷ୍ଟ ରୂପରେଖ ଆସିବ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.