ଗଞ୍ଜାମରେ ଭିକ୍ଷୁକ ଥଇଥାନ କେନ୍ଦ୍ର ‘ଆସ୍ଥା ନିଳୟ’ ଉଦ୍‌ଘାଟିତ

(ଜିଲ୍ଲାକୁ ଭିକ୍ଷାମୁକ୍ତ କରିବା ସହ ଉଦ୍ଧାର ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ମୁଖ୍ୟ ଲକ୍ଷ୍ୟ)

ବ୍ରହ୍ମପୁର : ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ସହାୟତା, ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ଆନୁକୂଲ୍ୟରେ ‘ବିକାଶ ଅନୁଷ୍ଠାନ’ ଦ୍ୱାରା ପରିଚାଳିତ ଭିକ୍ଷୁକ ଥଇଥାନ କେନ୍ଦ୍ର ‘ଆସ୍ଥା ନିଳୟ’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା କୁମାରୀ ସାହୁ, ଛତ୍ରପୁର ଉପଖଣ୍ଡସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସ୍ୱାଇଁ, ଗୋଷ୍ଠୀସ୍ତରୀୟ ସାମାଜିକ ଅଧିକାରୀ କୁମାରୀ ଆକାଶିନୀ ନାୟକ, ବୈଦ୍ୟନାଥପୁର ଥାନାର ପୋଲିସ ଅଧିକାରୀ ନାରାୟଣ ମହାପାତ୍ର ଏବଂ ବିକାଶ ଅନୁଷ୍ଠାନର ଅଧ୍ୟକ୍ଷ କେ. ହରିହର ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ କେନ୍ଦ୍ରର ଶୁଭାରମ୍ଭ କରିଥିଲେ।

ଏଥିସହ ବିକାଶ ଅନୁଷ୍ଠାନର ସମ୍ପାଦକ ଆଶୁତୋଷ ହୋତା ଓ କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ। ଉଦ୍‌ଘାଟନ ପରେ ଅତିଥିମାନେ କେନ୍ଦ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଆସିଥିବା ଅନ୍ତେବାସୀମାନଙ୍କ ସହ ଭାବ ବିନିମୟ କରିଥିଲେ।

ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ଭିକ୍ଷାମୁକ୍ତ କରିବା, ଉଦ୍ଧାର ବ୍ୟକ୍ତିମାନଙ୍କୁ ଆବଶ୍ୟକ ଧନ୍ଦାମୂଳକ ତାଲିମ ଦେଇ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି ଥଇଥାନ କେନ୍ଦ୍ର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମକୁ ସୁରେନ୍ଦ୍ର କୁମାର ବେହେରା, ଜ୍ଞାନରଞ୍ଜନ ରାଉତ, ବିଭୂତି ଭୂଷଣ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.