ନିବେଶକଙ୍କ ପାଇଁ ଗଞ୍ଜାମର ଦ୍ୱାର ସର୍ବଦା ଉନ୍ମୁକ୍ତ: ଜିଲ୍ଲାପାଳ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସମ୍ମିଳନୀରେ ଗୋପାଳପୁର, ସୋନାପୁର, ଋଷିକୂଲ୍ୟା ମୁହାଣ, ଚିଲିକାର ରମ୍ଭା-ବରକୁଳ, ତାରାତାରିଣୀ ଓ ଭୈରବୀ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ସହ ସମୁଦ୍ରକୂଳରେ ଆବାସ, ହୋଟେଲ, ହୋମ୍ଷ୍ଟେ, ପ୍ରକୃତି ପର୍ଯ୍ୟଟନ ଓ ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ରହିଥିବା ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳବନ୍ତ ସିଂ କହିଥିଲେ ଯେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାର ପାହାଡ଼, ସମୁଦ୍ର, ଧାର୍ମିକ ପୀଠ ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏହାକୁ ପର୍ଯ୍ୟଟନ ନିବେଶର ଏକ ଆକର୍ଷଣୀୟ କ୍ଷେତ୍ର ଭାବେ ଗଢ଼ି ତୋଳିଛି। ଏହି ସମ୍ଭାବନାର ସଦୁପଯୋଗ କରି ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସମୃଦ୍ଧ କରିବା ସହ ଦେଶବିଦେଶର ନିବେଶକମାନେ ଓଡ଼ିଶା ଓ ଗଞ୍ଜାମକୁ ନିବେଶର ପ୍ରମୁଖ ଗନ୍ତବ୍ୟ ଭାବେ ବିଚାର କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନିବେଶକମାନଙ୍କୁ ଜିଲ୍ଲାରେ ପର୍ଯ୍ୟଟନ ପ୍ରକଳ୍ପ ସ୍ଥାପନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇ କହିଥିଲେ ଯେ ସରକାରୀ-ଘରୋଇ ସହଭାଗିତା (ପିପିପି) ମଡେଲରେ ଜମି ଚିହ୍ନଟ, ଏକକ ଅନୁମୋଦନ ବ୍ୟବସ୍ଥା, ନୀତିଗତ ସହାୟତା ଓ ଆବଶ୍ୟକ ଭିତ୍ତିଭୂମି ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ ଯୋଗାଇଦେଇ ଆସିଛି ଆଗକୁ ମଧ୍ୟ ଯୋଗାଇଦେବ। ନିବେଶକମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ଦ୍ୱାର ସର୍ବଦା ଉନ୍ମୁକ୍ତ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଯୁଗ୍ମ ଶାସନ ସଚିବ ବିନୋଦ ଜେନା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ହୋଟେଲ ମାଲିକ, ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ଉଦ୍ୟୋଗୀ, ଯୁବ ଉଦ୍ୟୋଗୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।
ସମ୍ମିଳନୀରେ ନିବେଶକମାନଙ୍କ ସହ ପର୍ଯ୍ୟଟନ ପ୍ରକଳ୍ପ ସ୍ଥାପନ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ ହୋଇଥିଲା। ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜନକ କୁମାର ତରେଇ ଧନ୍ୟବାଦ ଅର୍ପଣ କରିଥିଲେ।
