ଶିବ ପଦ୍ମା ହାବିଟାଟ୍ସ’ ପ୍ରକଳ୍ପ ଉପରେ ‘ଓରେରା’ ର କଡ଼ା କାର୍ଯ୍ୟାନୁଷ୍ଠାନ, ବେଆଇନ ନିର୍ମାଣ ଭାଙ୍ଗିବା ସହ ୬ ମାସ ମଧ୍ୟରେ ନିର୍ଦ୍ଦେଶ ପାଳନ ପାଇଁ ନୋଟିସ୍
ବ୍ରହ୍ମପୁର : ବ୍ରହ୍ମପୁର ବିକାଶ ପ୍ରାଧିକରଣ (BDA) ଅଧୀନରେ ଥିବା ଆବାସିକ ପ୍ରକଳ୍ପ ‘ଶିବ ପଦ୍ମା ହାବିଟାଟ୍ସ’ର ଡୁପ୍ଲେକ୍ସ ସ୍କିମ୍ ‘ଡିଭାଇନ୍ ବ୍ଲିସ୍’ ରେ ହୋଇଥିବା ବେଆଇନ ନିର୍ମାଣ ଓ ନିୟମ ଉଲ୍ଲଂଘନ ବିରୋଧରେ ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟରୀ ଅଥରିଟି (ORERA) କଡ଼ା ଆଦେଶ ଶୁଣାଇଛନ୍ତି। ଆବେଦନକାରୀଙ୍କ ଅଭିଯୋଗକୁ ଗ୍ରହଣ କରି ବିଲ୍ଡରଙ୍କୁ ବେଆଇନ ନିର୍ମାଣ ଉଚ୍ଛେଦ ସହ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟ ନିର୍ଦ୍ଦେଶାବଳୀ:
ବେଆଇନ ନିର୍ମାଣ ଯାଞ୍ଚ ଓ ଉଚ୍ଛେଦ: ୨୦୧୦ ମସିହାରେ BDA ଦ୍ୱାରା ୧୨୭ଟି ସବ୍-ପ୍ଲଟ୍ରେ ଡୁପ୍ଲେକ୍ସ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ବ୍ୟତିକ୍ରମ କରି ୧୪୧ଟି ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ଯାଞ୍ଚ କରି ଆଇନ ଅନୁଯାୟୀ ଭାଙ୍ଗିବାକୁ BDA କୁ ନିର୍ଦ୍ଦେଶ ଦିଆଯାଇଛି।
ବ୍ୟବସାୟିକ କୋଠା ହଟିବ: ସବ୍-ପ୍ଲଟ୍ ନଂ. ୧୨ ରେ ବିନା ଅନୁମୋଦନରେ ନିର୍ମିତ ବ୍ୟବସାୟିକ କୋଠାକୁ ୬ ମାସ ମଧ୍ୟରେ ବିଲ୍ଡର ନିଜେ ଭାଙ୍ଗିବେ। ନଚେତ୍ ପ୍ରାଧିକରଣ ନିଜେ ଏହାକୁ ଉଚ୍ଛେଦ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ORERA ପଞ୍ଜୀକରଣ ଓ ଆଇନଗତ ମାମଲା: ପ୍ରକଳ୍ପକୁ ତୁରନ୍ତ ORERA ଅଧୀନରେ ପଞ୍ଜୀକରଣ କରିବାକୁ କୁହାଯାଇଛି। ବିନା ପଞ୍ଜୀକରଣରେ କାର୍ଯ୍ୟ କରିଥିବାରୁ ‘ରେରା Act, 2016’ ର ଧାରା 59(1) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମୌଳିକ ସୁବିଧାସୁଯୋଗ ଯୋଗାଣ: ସୁଏଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP), ଡ୍ରେନେଜ୍, ବର୍ଷା ଜଳ ଅମଳ, ପାର୍କ, ଶିଶୁ ଖେଳ ପଡ଼ିଆ, ବ୍ୟାଡମିଣ୍ଟନ୍/ଭଲିବଲ୍ କୋର୍ଟ ଓ ଜଗିଂ ଟ୍ରାକ୍ କାର୍ଯ୍ୟକ୍ଷମ କରିବାକୁ ବାଧ୍ୟତାମୂଳକ କରାଯାଇଛି।
ପ୍ରମାଣପତ୍ର ଓ ସଂଘ ଗଠନ: ପ୍ରକଳ୍ପ ସମ୍ପୂର୍ଣ୍ଣ କରି କରିବା ସହ ଆବଣ୍ଟନକାରୀଙ୍କ ଏକ ପଞ୍ଜୀକୃତ ଆସୋସିଏସନ୍ ଗଠନ କରିବାକୁ କୁହାଯାଇଛି।
ଜମି ବିକ୍ରି ଉପରେ କଟକଣା: ସବ୍-ପ୍ଲଟ୍ ନଂ. ୪୫, ୪୬, ୮୭, ୮୮, ୮୯ ଓ ୯୦ କୁ ଆସୋସିଏସନ୍ ବ୍ୟତୀତ ଅନ୍ୟ କାହାକୁ ବିକ୍ରି କିମ୍ବା ନୂତନ ନିର୍ମାଣ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଏହି ସମସ୍ତ ନିର୍ଦ୍ଦେଶକୁ ଆସନ୍ତା ୬ ମାସ ମଧ୍ୟରେ ପାଳନ ନ କଲେ ବିଲ୍ଡରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓରେରା ସ୍ପଷ୍ଟ କରିଛନ୍ତି।
