ଦୁର୍ଗାପୂଜା ଓ ଭସାଣି ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ : ଡିଜେ ବ୍ୟାନ୍

ବାଲିଗୁଡ଼ା, ୧୦/୧୦ : ଶାରଦୀୟ ଦୁର୍ଗାପୂଜା ଓ ଭସାଣିକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବାକୁ ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନର କଡ଼ା ଆଭିମୁଖ୍ୟ। ପୂଜା ଓ ଭସାଣି ଶୋଭାଯାତ୍ରାରେ ଡିଜେ ବାଜା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିବା ବେଳେ ବିକଟାଳ ଶବ୍ଦ କରି ଦ୍ରୁତଗତିରେ ବାଇକ୍‌ ଚଳାଉଥିବା ଚାଳକଙ୍କ ଉପରେ ମଧ୍ୟ ରୋକ୍‌ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଇକ୍‌ରେ ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ଲଗାଇ ଚଳାଉଥିବା ଚାଳକଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି। ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂଜା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସାଧାରଣ ଜନଜୀବନକୁ ସୁରୁଖୁରୁରେ ଚଳାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ବ୍ଲକର ଦୁର୍ଗାପୂଜା କମିଟି ସଦସ୍ୟ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଟ୍ରାଫିକ୍‌ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ଏବଂ ଗାଡ଼ି ପାର୍କିଂ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ପୂଜା ଓ ଭସାଣି ସମୟରେ ଅଯଥା ଭିଡ଼, ଶବ୍ଦ ପ୍ରଦୂଷଣ ଏବଂ ଟ୍ରାଫିକ୍‌ ସମସ୍ୟା ଯେପରି ସୃଷ୍ଟି ନ ହୁଏ, ସେଥିପାଇଁ ପୂଜା କମିଟିଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ଡିଜେ ବାଜା ବଦଳରେ ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବହାର କରି ପୂଜା ଓ ଭସାଣି ଉତ୍ସବ ପାଳନ କରିବାକୁ ଉପଜିଲ୍ଲାପାଳ ସମସ୍ତ ପୂଜା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ପର୍ବପର୍ବାଣିର ଆନନ୍ଦ ଓ ଉତ୍ସାହ ମଧ୍ୟରେ ଶାନ୍ତି, ଶୃଙ୍ଖଳା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଶବ୍ଦ ପ୍ରଦୂଷଣ ଓ ବେପରୁଆ ବାଇକ୍‌ ଚାଳନା ଉପରେ ପ୍ରଶାସନର ଏହି କଡ଼ା ଆଭିମୁଖ୍ୟ ଚଳିତ ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ଦିଗରେ ଏକ ପଦକ୍ଷେପ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.