ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡ୍ କରି ଇତିହାସ ରଚିଲା ପାରଦୀପ ବନ୍ଦର

ପାରଦୀପ: ଇତିହାସ ରଚିଲା ପାରଦୀପ ବନ୍ଦର। ସୃଷ୍ଟି କଲା ଆଉ ଏକ ନୂଆ କୀର୍ତ୍ତିମାନ। ଭାଙ୍ଗିଲା ପୁରୁଣା ସମସ୍ତ ରେକର୍ଡ। ଦିନକରେ ୧.୪୦ ଲକ୍ଷ ମେଟ୍ରିକ ଟନରୁ ଅଧିକ କୋଇଲା ଲୋଡିଂ କରି ପୁଣି ସଫଳତା ହାସଲ କରିଛି। ଓଡ଼ିଶାର ପାରାଦୀପ ବନ୍ଦର ପ୍ରାଧିକରଣ (PPA) ପୁଣି ଏକ ବଡ଼ ସଫଳତା ହାସଲ କରି ଆଉ ଏକ ନୂଆ ଅପରେସନାଲ ରେକର୍ଡ ସୃଷ୍ଟି କରିଛି। ବନ୍ଦରର ମେକାନାଇଜ୍‌ଡ କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ (MCHP) ମାତ୍ର ଗୋଟିଏ ଦିନରେ ସର୍ବାଧିକ ୧,୪୦,୦୨୨ ମେଟ୍ରିକ ଟନ୍ କୋଇଲା ଲୋଡିଂ କରି ଏହି ସଫଳତା ପାଇଛି।

ଅକ୍ଟୋବର ୧୦ ତାରିଖରେ ମେକାନାଇଜ କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଦୁଇଟି ଜାହାଜରେ ଏହି କୋଇଲା ଲୋଡିଂ କରି ରେକର୍ଡ କରିଛି । ପୂର୍ବରୁ ମେ ୨୯ ତାରିଖରେ ଅନ୍ୟ ଦୁଇଟି ଜାହାଜରେ ୧ ଲକ୍ଷ ୩୭ ହଜାର ୫୨୨ ମେଟ୍ରିକ ଟନ୍ କୋଇଲା ଲୋଡିଂ ହୋଇଥିଲା । ଚଳିତ ବର୍ଷ ଅକ୍ଟୋବର ମାସରେ ୨ ହଜାର ୫୨୨ ମେଟ୍ରିକ ଟନ୍ ଅଧିକ କୋଇଲା ଲୋଡିଂ କରି ପୂର୍ବ ରେକର୍ଡକୁ ଭାଙ୍ଗିଛି ପାରାଦୀପ ବନ୍ଦର । ଏନେଇ ଏମସିଏଚପିର ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ।

ଏହି ମାଇଲଖୁଣ୍ଟ ବନ୍ଦରର ଦକ୍ଷତା, ମାଲ ପରିଚାଳନା, ଜାହଜ ପରିଚାଳନା ସମେତ ବନ୍ଦରର ଭିତ୍ତିଭୂମିର ଉପଯୋଗିତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି । ଏହାସହ ଦେଶର ବାଣିଜ୍ୟ ଓ ଲଜିଷ୍ଟିକ କ୍ଷେତ୍ରକୁ ସମର୍ଥନ ଯୋଗାଇବା ସହ ଭାରତର ପୂର୍ବ ଉପକୂଳରେ ଏକ ପ୍ରମୂଖ ନୌବାଣିଜ୍ୟିକ କେନ୍ଦ୍ର ଭାବେ ପାରାଦୀପ ବନ୍ଦରର ସ୍ଥିତିକୁ ଆହୁରି ସୁଦୃଢ କରିଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି ପାରାଦୀପ ବନ୍ଦର ।

ad-week
Leave A Reply

Your email address will not be published.