ଅରୁଣଙ୍କୁ ‘ଅଭିନେତା ଓ ଗୁଣ୍ଡା’ କହିଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ

ନୟାଗଡ଼: ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ପୋଲିସ କର୍ମଚାରୀଙ୍କ ସହ ବିଧାୟକ ଅରୁଣ ସାହୁଙ୍କ ବଚସାକୁ ନେଇ ନୟାଗଡ଼ର ରାଜନୈତିକ ମହଲରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ନୟାଗଡ଼ ବ୍ଲକ୍‌ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କିଶୋର ଚନ୍ଦ୍ର ସାହୁ ବିଧାୟକଙ୍କ ଆଚରଣକୁ ସମାଲୋଚନା କରିଥିବାବେଳେ ଏହାର ପାଲଟା ଜବାବ ରଖିଛନ୍ତି ଅରୁଣ ସାହୁଙ୍କ ସମର୍ଥକମାନେ।
କିଶୋର ଚନ୍ଦ୍ର ସାହୁ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ଦୀର୍ଘଦିନର ଜନପ୍ରତିନିଧି ହୋଇ ମଧ୍ୟ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପ୍ରତି ଏଭଳି ଗୁଣ୍ଡାଗର୍ଦ୍ଦି ନିନ୍ଦନୀୟ। ଏହା ପୋଲିସର ମନୋବଳକୁ ଦୁର୍ବଳ କରିବା ସହ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଧାୟକଙ୍କର କୌଣସି ଅଭିଯୋଗ ଥିଲେ ଆଇନଗତ ଉପାୟରେ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଉପସ୍ଥାପନ କରିପାରିଥାନ୍ତେ ବୋଲି ସେ କହିବା ସହ ଏହି ଘଟଣାରେ ଅରୁଣ ସାହୁଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଅରୁଣ ସାହୁଙ୍କ ସମର୍ଥକମାନେ କିଶୋର ଚନ୍ଦ୍ର ସାହୁଙ୍କ ମନ୍ତବ୍ୟକୁ ନେଇ ପାଲଟା ପ୍ରଶ୍ନ ଉଠାଇଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି, “ପ୍ରଶ୍ନ ପଚାରିବା ଯଦି ଗୁଣ୍ଡାଗର୍ଦ୍ଦି, ତେବେ ଥାନା ଭିତରେ ପଶି ଜଣେ ବିଜେପି ନେତା ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିବା ଓ ହାତ ଉଠାଇବା ଘଟଣାକୁ କିଶୋର ବାବୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି?”
ସମର୍ଥକଙ୍କ ମତରେ, ନିଜ ବିଧାନସଭା କ୍ଷେତ୍ରରେ ଘଟିଥିବା ଘଟଣା ସମ୍ପର୍କରେ ଖବର ପାଇ ବିଧାୟକ ଘଟଣାସ୍ଥଳରେ ପହଞ୍ଚିବା ଓ ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାକୁ ଅଭିନୟ କହିବା ଠିକ୍‌ ନୁହେଁ। ଜନପ୍ରତିନିଧି ଭାବେ ନିଜ ଅଞ୍ଚଳର ସମସ୍ୟା ପ୍ରତି ଧ୍ୟାନ ଦେବା ତାଙ୍କର ଦାୟିତ୍ୱ ବୋଲି ସେମାନେ ମତ ଦେଇଛନ୍ତି।
“ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଯଦି ଅଭିନୟ, ତେବେ ଅରୁଣ ଭାଇ ଆଗାମୀ ଦିନରେ ମଧ୍ୟ ଏହି ଅଭିନୟ ଜାରି ରଖିବେ,” ବୋଲି ସମର୍ଥକମାନେ କହିଛନ୍ତି। ଏହି ଘଟଣାକୁ ନେଇ ଉଭୟ ପକ୍ଷ ନିଜ ନିଜର ମତ ରଖିଥିବାବେଳେ ନୟାଗଡ଼ର ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.