ମାଥିଲିରେ ଅଭାବନୀୟ ଘଟଣା: ନାଳରେ ପଡ଼ି ନାବାଳିକା ମୃତ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କରାପାଲି ପଞ୍ଚାୟତ ଅନ୍ତର୍ଗତ ମାଡିଖୁଡା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଘର ନିକଟରେ ଥିବା ପଶୁଆ ନାଳରେ ପଡି ଜଣେ ୧୨ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି। ମୃତ ନାବାଳିକା ଜଣକ ହେଲେ ଗ୍ରାମର ରାମ ମାଡିଙ୍କ ଝିଅ ସୁକାନ୍ତି। ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୧ ଟା ସମୟରେ ସୁକାନ୍ତି ନିଜ ଘରେ ବାସନକୁସନ ଓ ଗୁହାପତା ସଫା କରିବା ପାଇଁ ଘର ନିକଟରେ ଥିବା ପଶୁଆ ନାଳକୁ ଯାଇଥିଲେ। ଏହି ସମୟରେ ସେ କୌଣସି କାରଣରୁ ନାଳରେ ପଡିଯାଇଥିବା ଜଣାପଡିଛି।

ପରିବାର ସୂତ୍ରରୁ ପ୍ରକାଶ ଯେ, ସୁକାନ୍ତିଙ୍କ ବାପା ରାମ ମାଡି ଘରେ ଥିବାବେଳେ ଝିଅ ନାଳକୁ ଯାଇଥିଲା। କିଛି ସମୟ ପରେ ରାମ ମାଡିଙ୍କ ଭାଇ ବାସନ ସଫା କରିବା ପାଇଁ ନାଳକୁ ଯାଇଥିବା ସମୟରେ ସୁକାନ୍ତିଙ୍କୁ ନାଳରେ ପଡିଥିବା ଦେଖିଥିଲେ। ସେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇ ରାମ ମାଡି ଅନ୍ୟ ପରିବାର ସଦସ୍ୟଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେତେବେଳକୁ ସୁକାନ୍ତିଙ୍କ ମୃତ୍ୟୁ ଘଟିସାରିଥିଲା। ଘଟଣା ସମ୍ପର୍କରେ ରାମ ମାଡି ମାଥିଲି ଥାନାରେ ସୂଚନା ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ମୃତଦେହକୁ ମାଥିଲି ଡାକ୍ତରଖାନାକୁ ଆଣି ବ୍ୟବଚ୍ଛେଦ କରାଯିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.