୪୬ ବର୍ଷର ନିରବତା ପରେ କ୍ୟାମ୍ପସରେ ଗଣତନ୍ତ୍ରର ଗର୍ଜନ!ଡୋର୍‌-ଟୁ-ଡୋର୍‌ ପ୍ରଚାରରେ ପ୍ରାର୍ଥୀ, ଭୋଟ ହାତେଇବାକୁ ଚାଲିଛି ମାରାଥନ୍ ଉଦ୍ୟମ

ବାଲିଗୁଡ଼ା, ୧୨।୧୦ : ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ ପରେ ଏବେ ଗଣତନ୍ତ୍ରର ଉଷ୍ମତାରେ ସରଗରମ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ କ୍ୟାମ୍ପସ। ଶ୍ରେଣୀଗୃହର ପାଠପଢ଼ା ସହ କ୍ୟାମ୍ପସରେ ଜମିଛି ନିର୍ବାଚନୀ ଚର୍ଚ୍ଚା। କିଏ ହେବ ଛାତ୍ରଛାତ୍ରୀଙ୍କ ସ୍ୱର, କାହା ହାତରେ ରହିବ ଛାତ୍ର ପ୍ରତିନିଧିତ୍ୱର ଦାୟିତ୍ୱ—ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ନିଜ ସପକ୍ଷରେ ଭୋଟ ହାତେଇବାକୁ ପ୍ରାର୍ଥୀମାନେ ଆଉ ପଛରେ ନାହାନ୍ତି। କଲେଜ ପରିସରରୁ ଛାତ୍ରଛାତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚୁଛି ପ୍ରଚାରର ତାତି। ଦୀର୍ଘ ୪୬ ବର୍ଷ ପରେ ମହାବିଦ୍ୟାଳୟରେ ପ୍ରଥମ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହେଉଛି। ନିର୍ବାଚନ କେବଳ ପଦପଦବି ହାସଲର ଲଢ଼େଇ ହୋଇ ରହିନାହିଁ; ବରଂ ଛାତ୍ରଛାତ୍ରୀଙ୍କ ସମସ୍ୟା, ଦାବି ଓ ଅଧିକାରକୁ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇବା ପାଇଁ ନେତୃତ୍ୱ ବାଛିବାର ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଭାବେ ଦେଖାଯାଉଛି। ଭୋଟ ପାଇଁ ଦ୍ୱାରେ ଦ୍ୱାରେ ପ୍ରାର୍ଥୀ, କ୍ୟାମ୍ପସ ରେ ପ୍ରଚାର ଜୋରଦାର
ନିର୍ବାଚନର ଦିନ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନଙ୍କ ପ୍ରଚାର ଅଭିଯାନ ଜୋର୍‌ ଧରିଛି। ନିଜ ସମର୍ଥକଙ୍କୁ ସାଙ୍ଗରେ ନେଇ ପ୍ରାର୍ଥୀମାନେ ଡୋର୍‌-ଟୁ-ଡୋର୍‌ କ୍ୟାମ୍ପେନିଂ କରିବା ସହ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରି ଭୋଟ ଭିକ୍ଷା କରୁଛନ୍ତି। କେହି ନିଜର ଯୋଗ୍ୟତା ଓ ନେତୃତ୍ୱ ଦକ୍ଷତାକୁ ଆଧାର କରି ସମର୍ଥନ ମାଗୁଥିବା ବେଳେ ଅନ୍ୟ ମାନେ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବାର ପ୍ରତିଶ୍ରୁତି ଦେଉଛନ୍ତି। ପ୍ରଚାରରେ ବ୍ୟକ୍ତିଗତ ସମ୍ପର୍କ, ବନ୍ଧୁତା ଓ ସହପାଠୀଙ୍କ ସମର୍ଥନ ଗୁରୁତ୍ୱ ବହନ କରୁଥିବାରୁ ପ୍ରତ୍ୟେକ ଭୋଟକୁ ନିଜ ସପକ୍ଷରେ ଆଣିବାକୁ ପ୍ରାର୍ଥୀମାନେ ଉଦ୍ୟମ ଚଳାଇଛନ୍ତି। କ୍ୟାମ୍ପସରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମତାମତ ଓ ସମର୍ଥନକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଆଶା ଓ ଆକଳନ ଜାରି ରହିଛି।
୮ଟି ପଦବି ପାଇଁ ୩୧ ପ୍ରାର୍ଥୀ, ସଭାପତି ପଦରେ କଡ଼ା ମୁକାବିଲା ହେବ l ପ୍ରକାଶିତ ପ୍ରାର୍ଥୀ ତାଲିକା ଅନୁଯାୟୀ, ମହାବିଦ୍ୟାଳୟର ବିଭିନ୍ନ ପଦବି ପାଇଁ ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି। ସେଥିମଧ୍ୟରୁ ସଭାପତି ପଦ ପାଇଁ ସର୍ବାଧିକ ୭ ଜଣ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତି ପଦ ପାଇଁ ୪ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ, ସହସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ଅଛନ୍ତି। ସେହିପରି ଡିଏସଏ ସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସହସମ୍ପାଦକ ପଦ ପାଇଁ ୩ ଜଣ, କ୍ରୀଡ଼ା ସମ୍ପାଦକ ପଦ ପାଇଁ ୪ ଜଣ ଏବଂ କ୍ରୀଡ଼ା ସହ ସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ରହିଛନ୍ତି। ବିଭିନ୍ନ ପଦବି ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ଓ ପ୍ରଚାରର ତୀବ୍ରତାକୁ ଦେଖି କ୍ୟାମ୍ପସରେ ନିର୍ବାଚନୀ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ୧୪ରେ ପ୍ରାର୍ଥୀଙ୍କ ମତ ଉପସ୍ଥାପନ, ୧୫ରେ ମତଦାନ
ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ୧୪ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ମଞ୍ଚରେ ପ୍ରାର୍ଥୀମାନେ ନିଜର ନିର୍ବାଚନ ଲଢ଼ିବାର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ପ୍ରତି ନିଜର ଦାୟିତ୍ୱ ସମ୍ପର୍କରେ ମତ ରଖିବାର ସୁଯୋଗ ପାଇବେ। ଏହା ପରେ ୧୫ ତାରିଖ ରେ ମତଦାନ ହେବାକୁ ଥିବା ବେଳେ ୧୬ ତାରିଖରେ ବିଜୟୀ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।
ଏବେ ପ୍ରାର୍ଥୀଙ୍କ ପାଇଁ ଆଗାମୀ କିଛି ଦିନ ନିର୍ଣ୍ଣାୟକ ହେବ। ପ୍ରଚାରରେ କିଏ ଅଧିକ ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ କରିପାରୁଛି ଏବଂ ମତଦାନ ଦିନ କାହା ସପକ୍ଷରେ ଅଧିକ ଭୋଟ ପଡ଼ୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଶୃଙ୍ଖଳିତ ନିର୍ବାଚନ ଉପରେ କର୍ତ୍ତୃପକ୍ଷଙ୍କ ନଜର
ନିର୍ବାଚନ ପ୍ରକ୍ରିୟାକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ପୁଲିସ ପ୍ରଶାସନ ମଧ୍ୟ ଗୁରୁତ୍ୱ ଦେଇଛି। ଛାତ୍ର ସଂସଦ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଲିଙ୍ଗଡୋ କମିଶନଙ୍କ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ତେଜେଶ୍ୱର ନାୟକ ଦାୟିତ୍ୱ ତୁଲାଉଥିବା ବେଳେ ସହନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ଦାୟିତ୍ୱରେ ଅଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ଦୀର୍ଘ ୪୬ ବର୍ଷ ପରେ ଆୟୋଜିତ ହେଉଥିବା ଏହି ନିର୍ବାଚନ ଆଦିବାସୀ ମହାବିଦ୍ୟାଳୟର ଛାତ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଏବେ ଅପେକ୍ଷା ୧୫ ତାରିଖର ମତଦାନକୁ—ଯେଉଁଠି ପ୍ରାର୍ଥୀଙ୍କ ପ୍ରଚାର ନୁହେଁ, ଛାତ୍ରଛାତ୍ରୀଙ୍କ ଭୋଟ ହିଁ ନିର୍ଣ୍ଣୟ କରିବ ନେତୃତ୍ୱର ଭବିଷ୍ୟତ।

ad-week
Leave A Reply

Your email address will not be published.