ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଦଳକି ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଚୋରାଚାଲାଣ ଉପରେ ପ୍ରଶାସନ ପକ୍ଷରୁ କଡ଼ା ପ୍ରହାର କରାଯାଇଛି। ଆଜି ଖଣି ବିଭାଗ ଏବଂ ସ୍ଥାନୀୟ ପୋଲିସର ଏକ ମିଳିତ ଟିମ୍ ବେଆଇନ ବାଲି ଡିପୋ ଉପରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ବେଳେ ବାଲି ବୋଝେଇ କରିବାକୁ ଆସିଥିବା ଏକ ୧୦ ଚକିଆ ହାଇୱାର ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଥିଲା। ଫଳରେ ଟିମ୍ ଘଟଣାସ୍ଥଳରୁ ବାଲି ଲୋଡିଂ କରୁଥିବା ଜେସିବି (JCB) ମେସିନ୍କୁ ଜବତ କରି ଥାନାରେ ଅଟକ ରଖିଛି।
ସୂଚନା ଅନୁଯାୟୀ, ଦଳକି ପୋଲ ନିକଟସ୍ଥ ଶଙ୍ଖ ନଦୀରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବାଲି ଚୋରାଚାଲାଣ ହେଉଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଏହି ସୂଚନା ଆଧାରରେ ଖଣି ବିଭାଗ ଓ ପୋଲିସର ମିଳିତ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ଜବତ ଜେସିବିକୁ ରାଏବଗା ଥାନା ଜିମା ଦେଇଥିଲେ।
ଏହି ମିଳିତ ଚଢ଼ାଉରେ ଖଣି ବିଭାଗର ସନ୍ଦୀପ ଦଣ୍ଡପାଟ ଏବଂ ରାଏବଗା ଥାନା ଏଏସ୍ଆଇ (ASI) ଶୁଭ୍ରାଂଶୁ ଶେଖର ବୋଲ ପ୍ରମୁଖ ସାମିଲ ଥିଲେ। ଅଞ୍ଚଳରେ ବେଆଇନ ବାଲି ଚୋରାଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ସଜାଗ ରହିଛି ଏବଂ ଆଗାମୀ ଦିନରେ ଏହିପରି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଖଣି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।
