କୋରାପୁଟ : ଗ୍ରାମାଞ୍ଚଳବାସୀଙ୍କୁ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ିବା ଏବଂ ସ୍ୱଚ୍ଛତା ସହ ଆର୍ଥିକ ସାକ୍ଷରତା ବୃଦ୍ଧି କରିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲା ମାନବର ନିକଟସ୍ଥ କେନ୍ଦାର ଗ୍ରାମରେ ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ବିଭିନ୍ନ ଲୋକାଭିମୁଖୀ ସେବା, ସରକାରୀ ସହାୟତା, ସୁଲଭ ଋଣ, ବୀମା ତଥା ସଞ୍ଚୟ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ବିଶେଷ କରି ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’ରେ ଜିରୋ ବାଲାନ୍ସରେ ଖାତା ଖୋଲିବା, ସୁବିଧାଜନକ ସୁଧହାରରେ ଗୋଲ୍ଡ ଲୋନ୍ ନେବା, ‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’ (PMSBY), ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ (PMJJBY), ରିକରିଂ ଡିପୋଜିଟ୍ (RD) ଏବଂ ଶିଶୁଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ‘ଏନ୍ପିଏସ୍ ବାତ୍ସଲ୍ୟ’ (NPS Vatsalya) ଯୋଜନାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଇଥିଲା।
ଏହା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଋଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY), ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, କୃଷକ ଉତ୍ପାଦକ ସଂଗଠନ (FPO), ପିଏମ୍ଇଜିପି (PMEGP) ଏବଂ ପିଏମ୍ଏଫ୍ଏମ୍ଇ (PMFME) ଭଳି ଯୋଜନା ଜରିଆରେ ଗ୍ରାମୀଣ ଯୁବପିଢ଼ି ଓ ମହିଳାମାନେ କିଭଳି ଆତ୍ମନିଯୁକ୍ତି ପାଇ ନିଜସ୍ୱ ଉଦ୍ୟୋଗ ଗଢ଼ିପାରିବେ, ସେ ସମ୍ପର୍କରେ ଉତ୍ସାହିତ କରାଯାଇଥିଲା। ଘରୋଇ ସୁଧଖୋର ମହାଜନଙ୍କଠାରୁ ଅତ୍ୟଧିକ ସୁଧରେ ଋଣ ନନେଇ ବ୍ୟାଙ୍କ ସେବା ବ୍ୟବହାର କରି ନିଜ କଷ୍ଟାର୍ଜିତ ଅର୍ଥକୁ ସୁରକ୍ଷିତ ରଖିବା ସହ ଯେକୌଣସି ଋଣ ନେବା ପୂର୍ବରୁ ସୁଧହାର ଓ ନିୟମାବଳୀ ବୁଝିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
କାର୍ଯ୍ୟକ୍ରମରେ ବ୍ୟାଙ୍କର କୋରାପୁଟ ଶାଖା ପରିଚାଳକ ଦେବେନ୍ଦ୍ର କୁମାର ଶୁକ୍ଳା, ଆଞ୍ଚଳିକ ପରିଚାଳକ ରମେଶ ମହାକୁଡ଼ ଏବଂ ଆଡଭାନ୍ସ ହେଡ୍ ବ୍ରଜମୋହନ ରାଉତ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ନିୟମିତ ସଞ୍ଚୟ, ସୁରକ୍ଷିତ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ଶୃଙ୍ଖଳା ହିଁ ଗ୍ରାମୀଣ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରି ସ୍ୱାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
