ବାଲିଗୁଡ଼ା:ତା, ୧୫/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଆରାଧ୍ୟା ତଥା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ପୀଠରେ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ ମଧ୍ୟରେ ପାଳିତ ହେଉଛି ପବିତ୍ର ଶାରଦୀୟ ନବରାତ୍ର ଉତ୍ସବ। ନବରାତ୍ରର ପଞ୍ଚମ ଦିନରେ ମା’ ପାଟଖଣ୍ଡା ଜଗତ୍ଜନନୀ ମା’ ସ୍କନ୍ଦମାତାଙ୍କ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ଏହି ମନୋରମ ବେଶ ଭକ୍ତଙ୍କ ମନରେ ଭକ୍ତିଭାବ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଛି। ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ଙ୍କ ମନ୍ଦିର ପରିସରରେ ନବରାତ୍ର ଉତ୍ସବ ଶ୍ରଦ୍ଧା, ନିଷ୍ଠା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଦିନ ମା’ଙ୍କ ଭିନ୍ନ ଭିନ୍ନ ବେଶ ଓ ପୂଜାବିଧି ଭକ୍ତମାନଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରୁଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ରହିଛି ଗଭୀର ଆଗ୍ରହ। ଚଳିତ ବର୍ଷର ନବରାତ୍ର ପୂଜାରେ କର୍ତ୍ତା ଭାବେ ରବୀନ କୁମାର ମିଶ୍ର ଓ ନମିତା ମହାପାତ୍ର ଦାୟିତ୍ୱ ତୁଲାଉଛନ୍ତି। ପୁରୀ ଶ୍ରୀକ୍ଷେତ୍ର ଧାମରୁ ଆସିଥିବା ହିମାଂଶୁ ଶେଖର ଶତପଥୀ, ଗଞ୍ଜାମ ଜିଲ୍ଲା ଖଟିଆ ରାମଚନ୍ଦ୍ରପୁର ଶାସନର ଚିନ୍ମୟ ଶତପଥୀ ଏବଂ କରପଡ଼ା ଗ୍ରାମର କାହ୍ନୁଚରଣ ପଣ୍ଡା ପୁରୋହିତ ଓ ପୂଜକ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି।ମା’ ସ୍କନ୍ଦମାତାଙ୍କ ଉପାସନା ନବରାତ୍ରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ମା’ଙ୍କ ଏହି ସ୍ୱରୂପ ମାତୃତ୍ୱ, ସ୍ନେହ, କରୁଣା ଓ ମମତାର ପ୍ରତୀକ ଭାବେ ପୂଜିତ। ମା’ ପାଟଖଣ୍ଡାଙ୍କ ପୀଠରେ ଚାଲିଥିବା ଏହି ନବରାତ୍ର ପୂଜା ଅଞ୍ଚଳର ଧାର୍ମିକ ପରମ୍ପରା ଓ ଲୋକଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରୁଛି। ମା’ଙ୍କ ଆଶୀର୍ବାଦରେ ସମଗ୍ର ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଭକ୍ତମାନେ ପୂଜାର୍ଚ୍ଚନାରେ ସାମିଲ ହେଉଛନ୍ତି।
