‘ଅଦ୍ୱିକା’ ଯୋଜନାରେ କିଶୋରୀମାନେ ପାଇବେ ଦକ୍ଷତା ପ୍ରଶିକ୍ଷଣ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିଜିୟୁ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

puja26

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ (ବିଜିୟୁ) ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ମୃଣାଳିନୀ ଦରସୱାଲଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ୧୦ରୁ ୧୯ ବର୍ଷ ବୟସର କିଶୋର-କିଶୋରୀଙ୍କ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଅଦ୍ଵିକା–” କିଶୋରୀ ଓ କିଶୋର ସଶକ୍ତିକରଣର ଏକ ପଥ” ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରତି ଶନିବାର କିଶୋର-କିଶୋରୀମାନଙ୍କ ପାଇଁ ଜୀବନ କୌଶଳ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। । ଅଦ୍ଵିକା କିଶୋରୀ ଓ Peer Leader ମାନଙ୍କ ଦକ୍ଷତାକୁ ଅଧିକ ସୁଦୃଢ଼ କରିବା ପାଇଁ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସହ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ଯାହା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଦକ୍ଷତା ଏବଂ ବିଭାଗର ତୃଣମୂଳ ସ୍ତରରେ ରହିଥିବା ପହଞ୍ଚକୁ ଏକତ୍ରିତ କରିଥିଲା।

ବୁଝାମଣା ପତ୍ର ଅନୁଯାୟୀ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରସ୍ଥିତ ଏହାର କ୍ୟାମ୍ପସରେ ୫୦ ଜଣ ଅଦ୍ଵିକା କିଶୋରୀଙ୍କ ପାଇଁ ଛଅ ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ସ୍ଥିର ହୋଇଥିଲା। ଏହା କିଶୋରୀମାନଙ୍କୁ ବିଶ୍ୱବିଦ୍ୟାଳୟ ପରିବେଶର ଅଭିଜ୍ଞତା ସହ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବ। ସେହିପରି ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକରେ ୫୦ ଜଣ ଅଦ୍ଵିକା Peer Leader ଙ୍କ ପାଇଁ ଚାରି ସପ୍ତାହବ୍ୟାପୀ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଧ୍ୟ ସ୍ଥିର ହୋଇଥିଲା ଯାହା ସେମାନଙ୍କୁ ନିଜ ସାଥୀ କିଶୋର-କିଶୋରୀଙ୍କୁ ମାର୍ଗଦର୍ଶନ ଓ ସହାୟତା ପ୍ରଦାନ କରିବାରେ ସକ୍ଷମ କରିବ।

ଏହି ଅବସରରେ କମିଶନର-ତଥା-ଶାସନ ସଚିବ ଡିଜିଟାଲ ଓ ଜ୍ଞାନ-ଆଧାରିତ ଦୁନିଆ ପାଇଁ କିଶୋରୀମାନଙ୍କୁ ପ୍ରସ୍ତୁତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହିଭଳି ଦକ୍ଷତା ସେମାନଙ୍କୁ ସଚେତନ କରିବା ସହ ନିଷ୍ପତ୍ତି ନେବାରେ ଓ ନିଜ ଗୋଷ୍ଠୀରେ ପରିବର୍ତ୍ତନର ବାହକ ହେବାରେ ସାହାଯ୍ୟ କରିବ ବୋଲି ସେ କହିଥିଲେ। ଏହି ପ୍ରୟାସରେ ବିଭାଗ ସହ ସହଭାଗୀ ହୋଇଥିବାରୁ ସେ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଥିଲେ। ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଏହି ପଦକ୍ଷେପ ପ୍ରତି ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହ ଅଂଶଗ୍ରହଣକାରୀଙ୍କ ପାଇଁ ଗୁଣାତ୍ମକ ତାଲିମ ଓ ମାର୍ଗଦର୍ଶନର ପ୍ରତିଶ୍ରୁତି ଦେଇଥିଲେ। ବିଭାଗ ତରଫରୁ ବିଭାଗର କମିଶନର-ତଥା-ଶାସନ ସଚିବ ମୃଣାଳିନୀ ଦରସୱାଲ ଏବଂ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଫେସର କୁଲଭୂଷଣ ବାଲୁନି, କୁଳପତି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।ଏହି ଅବସରରେ ବିଭାଗର ବରିଷ୍ଠ ଅଧିକାରୀଗଣ ଏବଂ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଅଧ୍ୟାପକଗଣ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.