୬୬ ଲକ୍ଷ ଟଙ୍କାର ହେରଫେର ଅଭିଯୋଗରେ ବରିଷ୍ଠ କିରାଣୀଙ୍କ ସମେତ ଦୁଇ ସହଯୋଗୀ ଗିରଫ

puja26

କଟକ : ଢେଙ୍କାନାଳ ଡିଏଫ୍ ଓ କାର୍ଯ୍ୟାଳୟରେ ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ଆର୍ଥିକ ଅନିୟମିତତାର ପର୍ଦ୍ଦାଫାସ । ପ୍ରାୟ ୬୬ ଲକ୍ଷ ଟଙ୍କାର ହେରଫେର ଅଭିଯୋଗରେ ବରିଷ୍ଠ କିରାଣୀ ଏବଂ ତାଙ୍କର ଦୁଇ ସହଯୋଗୀ ଗିରଫ । ଡିଏଫ୍ ଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସୁଜିତ କୁମାର ଜେନାଙ୍କ ସମେତ ତାଙ୍କର ଦୁଇ ସହଯୋଗୀ ସୌମ୍ୟରଞ୍ଜନ ବେହେରା ଓ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ  ।

୨୦୧୬ରୁ ୨୦୨୬ ମଧ୍ୟରେ ହୋଇଥିବା ଆର୍ଥିକ କାରବାରର ଯାଞ୍ଚରୁ ସରକାରୀ ଅର୍ଥ ହଡ଼ପର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସୁଜିତ ନିଜ ପଦବୀର ଅପବ୍ୟବହାର କରି ଚାକିରିରୁ ବହିଷ୍କୃତ ଓ ଫେରାର କର୍ମଚାରୀଙ୍କ ଦରମା, ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଦରମା, ଅସ୍ଥାୟୀ ପେନସନ୍ , କର୍ମଚାରୀଙ୍କ ବକେୟା ଦରମା, କାର୍ଯ୍ୟାଳୟର ଖର୍ଚ୍ଚ ଓ ଜାଲ୍ ଯାତ୍ରା ଭତ୍ତା ବିଲ୍ ଜରିଆରେ ସରକାରୀ ଅର୍ଥକୁ ବିଭିନ୍ନ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପଠାଇଥିବା ଜଣାପଡ଼ିଛି।

ସୁଜିତଙ୍କ ମା’ଙ୍କ ବ୍ୟାଙ୍କ ଖାତାକୁ ୮ ଲକ୍ଷ ୭୨ ହଜାର ୫୨୦ ଟଙ୍କା, ସୌମ୍ୟରଞ୍ଜନ ବେହେରାଙ୍କ ଖାତାକୁ ୧୦ ଲକ୍ଷ ୪୮ ହଜାର ୮୬୬ ଟଙ୍କା ଏବଂ ରଶ୍ମିରଞ୍ଜନ ସ୍ୱାଇଁଙ୍କ ଖାତାକୁ ୮ ଲକ୍ଷ ୮୬ ହଜାର ୧୯୩ ଟଙ୍କା ପଠାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ମୋଟ ୬୫ ଲକ୍ଷ ୯୦ ହଜାର ୭୭୩ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଘଟଣା ପଦାକୁ ଆସିବା ପରେ ଅଭିଯୁକ୍ତମାନେ ଦୀର୍ଘ ସମୟ ଧରି ଗିରଫଦାରି ଏଡ଼ାଇ ଚାଲିଥିଲେ।

ତେବେ ବୈଷୟିକ ତଥ୍ୟ ଓ ମୋବାଇଲ୍ ଲୋକେସନ୍ ଆଧାରରେ ଭିଜିଲାନ୍ସ ସେମାନଙ୍କୁ ଠାବ କରି ଗିରଫ କରିଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ଢେଙ୍କାନାଳର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଛି। ଏହି ଅର୍ଥ ହଡ଼ପରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.