ସେଲ୍ଫି ନେଉଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା ଟ୍ରେନ

add-all

ଗୁରୁଗ୍ରାମ: ପୁଣିଥରେ ବିପଦଜନକ ଭାବେ ସେଲ୍ଫି ନେବା ହୋଇଛି କାଳ। ୪ ଜଣ ଯୁବକ ରେଳ ଧାରଣାରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସେମାନଙ୍କ ଉପରେ ଦ୍ରୁତଗାମୀ ଟ୍ରେନ ମାଡ଼ି ଯାଇଛି। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମରେ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ଗୁରୁଗ୍ରାମର ବସାଇ ଧନକୋଟ ରେଳ ଷ୍ଟେସନ ନିକଟରେ ଏପରି ଘଟଣା ଘଟିଛି। ଗୁରୁଗ୍ରାମ ରେଳ ଷ୍ଟେସନରୁ ଜନ ଶତାବ୍ବୀ ଏକ୍ସପ୍ରେସ ଅପରାହ୍ନ ୪.୪୮ ମିନିଟରେ ଛାଡ଼ିବାର ଥିଲା। ତେବେ ଟ୍ରେନଟି ବସାଇ ଧନକୋଟ ରେଳ ଟ୍ରାକରେ ଯାଉଥିବା ବେଳେ ଘଟିଥିଲା ଅଘଟଣ।
୪ ଜଣ ଯୁବକ ରେଳ ଧାରଣାରେ ସେଲ୍ଫି ନେବାରେ ବ୍ୟସ୍ତ ଥିଲେ। ଟ୍ରେନଟି ସେମାନଙ୍କ ଆଡ଼କୁ ହର୍ଣ୍ଣ ମାରି ଆସୁଥିଲେ ମଧ୍ୟ ସେମାନେ ଏକଥା ଜାଣି ପାରି ନଥିଲେ। ଫଳରେ ଟ୍ରେନ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜିଆରପି ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳେକୁ ସମସ୍ତଙ୍କର ମୃତ୍ୟୁ ହୋଇ ସାରିଥିଲା। ଏବେ ମୃତ ଯୁବକଙ୍କ ପରିଚୟ ଖୋଜା ଚାଲିଛି। ଏହାପୂର୍ବରୁ ମଧ୍ୟପ୍ରଦେଶର ଗୋଟିଏ ବ୍ରିଜ୍‌ ଉପରେ ସେଲ୍ଫି ନେଉଥିବା ବେଳେ ୨ ଜଣ ଯୁବକ ପ୍ରାଣ ହରାଇଥିଲେ।

ad-week
Leave A Reply

Your email address will not be published.