ୟୁକ୍ରେନ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲା ରୁଷ

add-all

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଟଳିବାର ବାଟ ଫିଟିଛି। ସାରା ବିଶ୍ୱରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆତଙ୍କ ଖେଳି ଯାଇଥିବା ବେଳେ ଏବେ ରୁଷ ବଡ଼ ପଦକ୍ଷେପ ନେଇଛି। ୟୁକ୍ରେନ ସୀମାନ୍ତରେ ରୁଷ ଠୁଳ କରିଥିବା ପ୍ରାୟ ୧ ଲକ୍ଷ ୩୦ ହଜାର ସୈନ୍ୟଙ୍କ ମଧ୍ୟରୁ ଆଜି କିଛି ଯବାନଙ୍କୁ ନିଜ ବେସ୍‌କୁ ଫେରାଇ ଆଣିଛି।
ରୁଷ ପ୍ରତିରକ୍ଷା ବିଭାଗର ମୁଖପାତ୍ର କହିଛନ୍ତି, “ଆମେ ସୀମାନ୍ତରେ ଯୁଦ୍ଧାଭ୍ୟାସ କରିବାକୁ ସୈନ୍ୟମାନଙ୍କୁ ପଠାଇଥିଲୁ। ଆମର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ଏକଥା ଆମେ ପୂର୍ବରୁ ମଧ୍ୟ କରି ସାରିଛୁ। ସେଠାରେ ଯୁଦ୍ଧାଭ୍ୟାସ ସରିଲେ ଯବାନମାନେ ସେମାନଙ୍କ ସ୍ଥାୟୀ ବେସ୍‌କୁ ଫେରି ଆସିବେ। ଏବେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ ନିୟମିତ ପ୍ରକ୍ରିୟା। ଦରକାର ପଡ଼ିଲେ ପୁଣି ଅଧିକ ସଂଖ୍ୟକ ସୈନ୍ୟ ସୀମାନ୍ତ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିବାକୁ ଯିବେ।”
ସୀମାନ୍ତ ଅଞ୍ଚଳରେ ରୁଷର ସମରସଜ୍ଜା ଦେଖି ୟୁକ୍ରେନ ସମେତ ସମଗ୍ର ବିଶ୍ୱରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆଶାଆଶଙ୍କା ଦେଖିବାକୁ ମିଳିଥିଲା। ସେହିପରି ରୁଷ ଫେବୃଆରୀ ୧୬ରେ ହିଁ ଆକ୍ରମଣ କରିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ଦମ୍ଭୋକ୍ତି କରିଥିଲେ। ଭାରତ ସରକାର ମଧ୍ୟ ୟୁକ୍ରେନରେ ଥିବା ନିଜ ଦେଶର ନାଗରିକ ଓ ଶିକ୍ଷାର୍ଥୀମାନଙ୍କୁ ସ୍ୱଦେଶ ଫେରି ଆସିବାକୁ କହିଥିଲେ। ହେଲେ ରୁଷ ହମଲା କରିବା ମୁଡରେ ନଥିବା କହିଥିଲା। ଏକଥାକୁ କେହି ବିଶ୍ୱାସ କରୁ ନଥିଲେ। କିନ୍ତୁ ଏବେ ରୁଷ ସୈନ୍ୟ ପ୍ରତ୍ୟାହାର କରି ଶାନ୍ତି ପ୍ରତିଷ୍ଠା ଦିଗରେ ବଡ଼ ପଦକ୍ଷେପ ନେଇଛି।
ରୁଷ ହମଲା ପାଇଁ ଯୋଜନା କରୁଥିବା ଖବରକୁ ଖଣ୍ଡନ କରି ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି, ବିଭିନ୍ନ ଦେଶ ରୁଷକୁ ନେଇ କରୁଥିବା ଆକଳନରେ ସତ୍ୟତା ନାହିଁ। କେବଳ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି କରିବା ପାଇଁ ମିଛ କଥାକୁ ପ୍ରଚାର କରାଯାଉଛି। ମିଛ କଥା ପ୍ରଚାର କରିବା ଅପେକ୍ଷା ରୁଷ ଓ ଅନ୍ୟ ଦେଶଗୁଡ଼ିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ଭଲ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏକଥା ଚାହୁଁଛନ୍ତ। ଏ ସମ୍ପର୍କରେ ସେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ବୋଲି ସେ କହିଛନ୍ତି। ଏହାପୂର୍ବରୁ ରୁଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ମଧ୍ୟ ପଶ୍ଚିମ ଦେଶଗୁଡ଼ିକ ସହ ଆଲୋଚନା କରିବା ସପକ୍ଷରେ ମସ୍କୋ ରହିଥିବା କହିଥିଲେ।

ad-week
Leave A Reply

Your email address will not be published.