ଆସନ୍ତାକାଲି କୋଟିଆ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ବିକାଶର ସମୀକ୍ଷା ଓ ଆଗାମୀ ଯୋଜନା ନେଇ ହେବ ତର୍ଜମା

puja26

ଭୁବନେଶ୍ୱର: କୋଟିଆ ବିକାଶର ସମୀକ୍ଷା ଏବଂ ଆଗାମୀ ଯୋଜନା ପାଇଁ ଆସନ୍ତାକାଲି (୨୭ ଅକ୍ଟୋବର ୨୦୨୬) ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଏହି ବୈଠକ ବସିବ। କୋଟିଆର ବିକାଶ ନେଇ ବୈଠକରେ ହେବ ତର୍ଜମା।

ସରକାରଙ୍କ ପକ୍ଷରୁ ଗଠିତ ୧୬ ଜଣିଆ କମିଟି ଏଥିରେ ସାମିଲ ହୋଇ କୋଟିଆର ସାମଗ୍ରିକ ସ୍ଥିତି ଉପରେ ଚର୍ଚ୍ଚା କରିବେ। ବିଗତ ଅଢ଼େଇ ବର୍ଷ ମଧ୍ୟରେ କୋଟିଆ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କେତେ ଆଗେଇଛି, ତାହାର ତର୍ଜମା କରାଯିବ। କୋଟିଆରେ ଓଡ଼ିଶା ସରକାରଙ୍କ ଉପସ୍ଥିତି ଜାହିର କରିବା ଏବଂ ସେଠାକାର ଲୋକଙ୍କ ସୁବିଧା ପାଇଁ ଆଗକୁ କେଉଁ ସବୁ ନୂତନ ଯୋଜନା କରାଯିବ, ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ।

ସୂଚନା ଥାଉକି ସମ୍ପ୍ରତି ଆନ୍ଧ୍ରପ୍ରଦେଶ ସରକାର କୋଟିଆର କିଛି ଗ୍ରାମରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିବାରୁ, ଓଡ଼ିଶା ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ କରିଥିବା କୋର୍ଟ ଅବମାନନା ମାମଲା (Contempt Plea) ଏବଂ ସୀମା ସୁରକ୍ଷାକୁ ନେଇ ଆଇନଗତ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇପାରେ। କୋଟିଆର ବିକାଶ ସହ ଓଡ଼ିଶାର ଅସ୍ମିତାକୁ ଯୋଡ଼ି ରାଜସ୍ୱ ମନ୍ତ୍ରୀ ଦେଇଛନ୍ତି ଏକତାର ଆହ୍ୱାନ । “ଆମ ଅସ୍ମିତା, ଆମ କୋଟିଆ” ପାଇଁ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି । ତେବେ ଆସନ୍ତାକାଲିର ବୈଠକରେ କୋଟିଆର ବିକାଶକୁ ନେଇ କେଉଁ କେଉଁ ନୂଆ ଯୋଜନା ଉପରେ ମୋହର ବାଜିବ, ତାହା ଉପରେ ରହିବ ସମସ୍ତଙ୍କ ନଜର ।

ad-week
Leave A Reply

Your email address will not be published.