
ପାଟନା: ଦେଶରେ ଚାଲିଥିବା ଏସ୍ଆଇଆର ବିରୋଧୀ ଆନ୍ଦୋଳନକୁ ଦେଶର ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ବୋଲି ଅଭିହିତ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ। ତେଣୁ ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଦେଶର କୋଣ ଅନୁକୋଣରେ ପହଞ୍ଚାଯିବ ବୋଲି ସେ କହିଛନ୍ତି। ରବିବାର ପାଟନାରେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀକୃଷ୍ଣ ସିଂହ (ସିହ୍ନା)ଙ୍କ ୧୩୯ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗ ଦେଇ ଖଡଗେ କହିଥିଲେ ଯେ ଆର୍ଏସ୍ଏସ୍ ଆଦର୍ଶ ବିଲୋପ ନ ହେବା ଯାଏ ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ। କାରଣ ବିଜେପି ଓ ଆର୍ଏସ୍ଏସ ଦେଶର ସାମ୍ବିଧାନିକ ଅନୁଷ୍ଠାନଗୁଡିକର ସ୍ବାଧୀନତା ଉପରେ ହସ୍ତକ୍ଷେପ କରିବା ସହିତ ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି କରିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି ପୂର୍ବକ ଭୋଟ ଚୋରି କରି ବିଜେପି ପଶ୍ଚିମବଙ୍ଗ, ବିହାର, ହରିୟାଣା ଓ ମହାରାଷ୍ଟ୍ରରେ ସରକାର ଗଠନ କରିଛି। ଏସ୍ଆଇଆର ଓ ଭୋଟ ଚୋରି ବିରୋଧରେ ଚାଲିଥିବା ଆନ୍ଦୋଳନରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗ ଦେବାକୁ ଖଡଗେ ବିହାରବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଭୋଟ ଚୋରି କାର୍ଯ୍ୟରେ ଜଡିତ ଲୋକଙ୍କୁ ଆଇନର କାଠଗଡାକୁ ଟଣାଯିବା ସହିତ ଜେଲ୍ରେ ଭର୍ତ୍ତି କରାଯିବ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଚୋରି ଘଟଣାକୁ ନେଇ ମଧ୍ୟ ସେ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଭଗବାନ ରାମଙ୍କ ସମ୍ପତ୍ତିକୁ ଲୁଟ୍ କରିଛନ୍ତି ସେମାନଙ୍କୁ ପ୍ରଭୁ ଶ୍ରୀରାମ ନିଶ୍ଚିତ ଦଣ୍ଡିତ କରିବେ। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ମଧ୍ୟ ଖଡଗେ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ସରକାର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଦେଶରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି। ଲୋକ ଖାଇବା ଜିନିଷ କିଣିବାକୁ ଅସମର୍ଥ ହେଉଛନ୍ତି ମାତ୍ର ସରକାର କହୁଛନ୍ତି ଯେ ଦେଶରେ ଅମୃତ କାଳ ଚାଲିଛି। କଂଗ୍ରେସ ସଭାପତି ଦାବି କରିଛନ୍ତି ଯେ ଆଗାମୀ ଦିନରେ ହେବାକୁ ଯାଉଥିବା ସମସ୍ତ ନିର୍ବାଚନ ବାଲାଟ ପେପରରେ କରାଯାଉ। ଏହା ସହିତ ଦେଶରେ ଏସ୍ଆଇଆର ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ। ଗତ ଦୁଇବର୍ଷ ମଧ୍ୟରେ ହୋଇଥିବା ବିଧାନସଭା ନିର୍ବାଚନଗୁଡିକ ବାତିଲ କରାଯାଉ ବୋଲି ସେ କହିଛନ୍ତି।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଖଡଗେ ସମାଲୋଚନା କରିଛନ୍ତି। ଖଡଗେ କହିଛନ୍ତି ଯେ ଆରଏସ୍ଏସ୍ ଆଦର୍ଶରେ ବିଶ୍ବାସ କରୁଥିବା ଲୋକଙ୍କ ସହିତ ନୀତୀଶ ହାତ ମିଳାଇଛନ୍ତି। ଏସ୍ଆଇଆର, ଭୋଟ ଚୋରି ବିରୋଧରେ ବିରୋଧୀ ଇଣ୍ଡିଆ ବ୍ଲକ ନଭେମ୍ବର ୧ରେ ନୂଆଦିଲ୍ଲୀରେ ବଡ ଧରଣର ଆନ୍ଦୋଳନ କରିବାକୁ ଯାଉଛି। ଏହି ଆନ୍ଦୋଳନରେ ଭାଗ ନେବା ଲାଗି କଂଗ୍ରେସ ଦଳ ଏହାର ସମସ୍ତ ସାଂସଦଙ୍କୁ ନିବେଦନ କରିଛି। ଏଥିପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୧ ତିନି ଦିନ ପାଇଁ ଦିଲ୍ଲୀରେ ଉପସ୍ଥିତ ରହିବାକୁ ଦଳର ସମସ୍ତ ସାଂସଦଙ୍କୁ ଖଡଗେ ରବିବାର କହିଛନ୍ତି। ତେବେ ପାର୍ବଣ ଋତୁରେ ଦିଲ୍ଲୀରେ ବାରମ୍ବାର ବିକ୍ଷୋଭ ଯୋଗୁଁ ସ୍ଥାନୀୟ ଛୋଟ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆ ବ୍ଲକକୁ ଏହାର ପ୍ରସ୍ତାବିତ ଶୋଭାଯାତ୍ରା ଆୟୋଜନ ବିଳମ୍ବିତ କରିବାକୁ ବ୍ୟବସାୟୀଙ୍କ ପକ୍ଷରୁ ନିବେଦନ କରାଯାଇଛି। ବ୍ୟବସାୟୀଙ୍କ ଏହି ନିବେଦନ ଉପରେ ସୋମବାର କଂଗ୍ରେସ ଦଳ ନିଷ୍ପତ୍ତି ନେବ।
ପ୍ରଧାନମନ୍ତ୍ରୀଙ୍କ ପ୍ରତି ଖଡଗେଙ୍କ ଅପମାନଜନକ ମନ୍ତବ୍ୟ
ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧନ କାଳରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏସ୍ଆଇଆର ଅନିୟମିତତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ପଦରୁ ହଟାଯିବ ବୋଲି ଖଡଗେ କହିଥିଲେ। ଏହି ସମୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ଜଣେ ବ୍ୟକ୍ତି କହିଥିଲେ ଯେ ‘ମୋଦୀ କୁଆଡେ ଯିବେ ନାହିଁ (ମୋଦୀ କେହିଁ ନେହିଁ ଯାଏଗା)।’ ଉତ୍ତରରେ ଖଡଗେ କହିଥିଲେ ‘ମୋଦୀଙ୍କ ବାପା ମଧ୍ୟ ଯିବେ (ମୋଦୀ କା ବାପ ଭି ଜାଏଗା)।’ ମୋଦୀଙ୍କ ବାପାଙ୍କ କଥା କହି ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିଥିବା ବିଜେପି ଅଭିଯୋଗ କରିଛି। ଏଥିପାଇଁ ବିଜେପି କଂଗ୍ରେସ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଖଡଗେ ମୋଦୀଙ୍କ ବାପାଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ସମସ୍ତ ପ୍ରକାର ଶିଷ୍ଟତାର ଉଲ୍ଲଙ୍ଘନ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କଂଗ୍ରେସ ଦଳର ଏହା ପ୍ରଥମ ଅପମାନଜନକ ମନ୍ତବ୍ୟ ନୁହେଁ। ପୂର୍ବରୁ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ମା’ ଓ ପରିବାର ପ୍ରତି ଅନେକବାର ଅପମାନଜନକ ମନ୍ତବ୍ୟ ଦେଇଆସିଛି। କଂଗ୍ରେସ ଦଳ କ୍ରମାଗତ ୧୨ ବର୍ଷ ହେଲା ନିର୍ବାଚନରେ ପରାଜୟ ବରଣ କରି ଆସୁଥିବାରୁ ହତାଶ ହୋଇ ଏପରି ମନ୍ତବ୍ୟ ଦେଉଛି ବୋଲି ଶାହା କହିଛନ୍ତି। କାର୍ଯ୍ୟକ୍ରମରେ ମୋଦୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ କଂଗ୍ରେସ କର୍ମୀମାନେ ମାଡ ମାରି ଘଟଣାସ୍ଥଳରୁ ବିଦା କରିଦେଇଥିଲେ।
ମୋଦୀଙ୍କ ପିତାଙ୍କ ସମ୍ପର୍କରେ ଖଡଗେ ଦେଇଥିବା ମନ୍ତବ୍ୟକୁ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ମଧ୍ୟ ନିନ୍ଦା କରିଛନ୍ତି। ନବୀନ କହିଛନ୍ତି ଯେ ଖଡଗେଙ୍କ ଏହି ମନ୍ତବ୍ୟ କଂଗ୍ରେସର ଆଦର୍ଶଗତ ଦୁର୍ବଳତାକୁ ସୂଚିତ କରୁଛି। ଖଡଗେଙ୍କ ଉପରୋକ୍ତ ମନ୍ତବ୍ୟ ପ୍ରତିବାଦରେ ସୋମବାର ବିଜେପି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଦଳର ପ୍ରତ୍ୟେକ ରାଜ୍ୟ ମୁଖ୍ୟାଳୟରେ ଏହି ବିକ୍ଷୋଭ କରାଯିବ।
