ଗଜପତିରେ ଭୂସ୍ଖଳନ, ପାହାଡ଼ ଧସି ଯାତାୟାତ ଠପ୍

puja26

ଗଜପତି: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଜପତିରେ ବିଗିଡ଼ିଲା ସ୍ଥିତି । କଇଁପୁର-ଗଙ୍ଗାବାଡ଼ା ରାସ୍ତାରେ ଭୂସ୍ଖଳନ। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗତ ଦୁଇ ଦିନ ହେଲା ଗଜପତି ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଲଗାତାର ବର୍ଷା କାରଣରୁ ଜିଲ୍ଲାର ପ୍ରମୁଖ ନଦୀ ଓ ପାହାଡ଼ିଆ ନାଳଗୁଡ଼ିକର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏପରିସ୍ଥିତିରେ ବିଭିନ୍ନ ଘାଟି ଅଞ୍ଚଳରେ ମାଟି ଅତଡ଼ା ଖସିବା ଆରମ୍ଭ ହୋଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କଇଁପୁର-ଗଙ୍ଗାବାଡ଼ା ମୁଖ୍ୟ ରାସ୍ତାରେ ଭୟଙ୍କର ଭୂସ୍ଖଳନ ଘଟି ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ​ବର୍ଷାର ମାତ୍ରା ଅଧିକ ଥିବାରୁ କଇଁପୁର-ଗଙ୍ଗାବାଡ଼ା ରାସ୍ତାର ଏକ ପାହାଡ଼ିଆ ଅଂଶ ଧସିଯାଇଛି । ଫଳରେ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ଉପରେ ବିରାଟ ବିରାଟ ପଥରଖଣ୍ଡ ଓ କାଦୁଅ ମାଟି ଜମି ରହିଛି । ଏହି ମୁଖ୍ୟ ମାର୍ଗ ଦେଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ଉପାନ୍ତ ଅଞ୍ଚଳର ଲୋକେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଫସି ରହିଛନ୍ତି ।

ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ଜେସିବି ଏବଂ ଶ୍ରମିକ ନିୟୋଜିତ କରି ରାସ୍ତା ସଫା କରିବାକୁ ଉଦ୍ୟମ ଚଳାଇଥିଲେ ହେଁ ଲଗାଣ ବର୍ଷା ଏହି ପୁନରୁଦ୍ଧାର କାର୍ଯ୍ୟରେ ପ୍ରମୁଖ ବାଧକ ସାଜିଛି । ମହେନ୍ଦ୍ରତନୟା, ବଂଶଧାରା ସମେତ ସ୍ଥାନୀୟ ପାହାଡ଼ିଆ ଝରଣା ଓ ନାଳଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେତେକ ସ୍ଥାନରେ କଲଭର୍ଟ ଓ ପୋଲ ଉପରେ ପାଣି ଚାଲିବା ଯୋଗୁଁ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତଳିଆ ଅଞ୍ଚଳର ବିସ୍ତୀର୍ଣ୍ଣ ଚାଷଜମିରେ ବର୍ଷା ଓ ବନ୍ୟା ପାଣି ମାଡ଼ିଯାଇଛି, ଯାହା ଫଳରେ ପନିପରିବା ଏବଂ ଧାନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି । ​ଜିଲ୍ଲାରେ ଏବେ ବି ଅବିଶ୍ରାନ୍ତ ବର୍ଷା ଜାରି ରହିଥିବାରୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି । ପାହାଡ଼ିଆ ଓ ବିପଦସଙ୍କୁଳ ସ୍ଥାନରେ ଥିବା ଗ୍ରାମବାସୀଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହିତ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସିଂଙ୍ଗିପୁର ଗ୍ରାମ ଜଳବନ୍ଦୀ । ୩ ଫୁଟ୍ ପାଣି ଘେରରେ ଅଛନ୍ତି ୧୫୦ ପରିବାର। ପଞ୍ଚାୟତର ୧୦ ଏବଂ ୧୨ ନମ୍ବର ୱାର୍ଡର ପ୍ରାୟ ୧୫୦ଟି ପରିବାରର ୪୫୦ରୁ ଅଧିକ ଲୋକ ଏବେ ଜଳବନ୍ଦୀ ହୋଇ ରହିଛନ୍ତି। ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇ ବର୍ତ୍ତମାନ ଗାଁ ଭିତରେ ୩ ଫୁଟ୍ ପର୍ଯ୍ୟନ୍ତ ପାଣି ଲହଡ଼ି ମାରୁଛି। ଘର ଭିତରେ ପାଣି ପଶିଛି। ଜଳସ୍ତର ବଢ଼ୁଥିବାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ad-week
Leave A Reply

Your email address will not be published.