ନୂଆଦିଲ୍ଲୀ ୧୫।୧୨: ଦେଶର ବ୍ୟାଙ୍କିଙ୍ଗ ଇତିହାସରେ ସବୁଠୁ ବଡ଼ ଋଣ ଜାଲିଆତି ମାମଲାରେ ଏବିଜି ଶିପୟାର୍ଡଙ୍କ ନିର୍ଦ୍ଦେଶକଙ୍କ ଲାଗି ଲୁକ୍ଆଉଟ୍ ନୋଟିସ୍ ଜାରି ହୋଇଛି। ଜନୈକ ବରିଷ୍ଠ ସିବିଆଇ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ୨୨ ହଜାର ୮୪୨ କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ କହିଛନ୍ତି।
ଗୁଜରାଟ ସୁରଟସ୍ଥିତ ଏବିଜି ଶିପୟାର୍ଡ ଦ୍ୱାରା ବ୍ୟାଙ୍କ ଋଣ ଜାଲିଆତି ଘଟଣା ଜଣାପଡିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଛି। ମାମଲାରେ ସିବିଆଇ କାର୍ଯ୍ୟାନୁଷ୍ଠାନ କରିବା ସହ କମ୍ପାନୀର ପୂର୍ବତନ ସିଏମଡି ଋଷି କମଲେଶ ଅଗ୍ରୱାଲଙ୍କ ସମେତ ୮ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏବିଜି ଶିପୟାର୍ଡ ଲିମିଟେଡ ଦେଶର ଭିନ୍ନ ଭିନ୍ନ ୨୮ଟି ବ୍ୟାଙ୍କରୁ ବ୍ୟବସାୟ ବାହାନାରେ ମୋଟ ୨୮ ହଜାର ୮ଶହ ୪୨ କୋଟି ଟଙ୍କା ଋଣ ନେଇଥିଲେ।
୨୦୧୨ରୁ ୨୦୧୭ ମସିହା ମଧ୍ୟରେ କମ୍ପାନୀକୁ ମଞ୍ଜୁର ହୋଇଥିବା ଋଣରେ ଅନିୟମିତତା ନେଇ ୨୦୧୯ ମସିହାରେ ଅର୍ଣ୍ଣଷ୍ଟ ଏଣ୍ଡ ୟଙ୍ଗ ଏଲପି ତାଙ୍କ ଫରେନସିକ୍ ଅଡିଟ୍ ରିପୋର୍ଟରେ ଉଜାଗର କରିଥିଲେ। ଏଥିରେ କମ୍ପାନୀ ବେଆଇନ ଭାବେ ବ୍ୟାଙ୍କ ଋଣ ହେରଫେର କରିବା ସହ ବିପୁଳ ଟଙ୍କା ଲୁଟିନେଇଥିବା ଜଣାପଡିଥିଲା।
କୁହାଯାଉଛି ବ୍ୟାଙ୍କରୁ ଜାଲିଆତିରେ ନିଆଯାଇଥିବା ଋଣ ବିଦେଶ ପଠାଇ ଏଥିରେ କମ୍ପାନୀର ଅଧିକାରୀ ଓ କର୍ମଚାରୀମାନେ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି କ୍ରୟ କରିଛନ୍ତି। ରିପୋର୍ଟ ଅନୁସାରେ ବ୍ୟାଙ୍କ ଋଣ ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତ ଋଷି କମଲେଶ ଅଗ୍ରୱାଲ ବହୁ ପୂର୍ବରୁ ଦେଶ ଛାଡି ପଳାଇଛି। ସେ ଏବେ ଶିଙ୍ଗାପୁରରେ ଅବସ୍ଥାନ କରୁଥିବାର ସୂଚନା ଆସୁଥିବା ବେଳେ ସିବିଆଇ ଲୁକଆଉଟ୍ ନୋଟିସ୍ ଜାରି କରିଛି।
