ତପ୍ତପାଣି ଘାଟିରେ ଭୂସ୍ଖଳନ: ଧୋଇଗଲା ୩୨୬ ନଂ ଜାତୀୟ ରାଜପଥ, ଯାନବାହନ ଚଳାଚଳ ଠପ୍

puja26

ଭୁବନେଶ୍ୱର: ତପ୍ତପାଣି ଘାଟିରେ ଭୟଙ୍କର ଭୂସ୍ଖଳନ! ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୟଙ୍କର ଭୂସ୍ଖଳନ । ତପ୍ତପାଣି ଘାଟିରେ ରାସ୍ତା ଅବରୋଧ। ଧୋଇଗଲା ୩୨୬ ନମ୍ବର ଜାତୀୟ ରାଜପଥ । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଜପତି ଓ ଗଞ୍ଜାମ ସୀମାନ୍ତରେ ବିଗିଡ଼ିଛି ସ୍ଥିତି । ମୋହନା ନିକଟସ୍ଥ ତପ୍ତପାଣି ଘାଟିରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ଯାନବାହନ ଚଳାଚଳ ।

ପାହାଡ଼ ଉପରୁ ବିରାଟକାୟ ପଥର ଖଣ୍ଡ ସହ ମାଟି ଅତଡ଼ା ଖସି ରାସ୍ତା ଉପରେ ଜମା ହୋଇରହିଛି । ଏହାସହ ପାହାଡ଼ରୁ ପ୍ରବଳ ବେଗରେ ପାଣି ମାଡ଼ି ଆସୁଥିବାରୁ ରାସ୍ତା ଅତିକ୍ରମ କରିବା ଅସମ୍ଭବ ହୋଇପଡ଼ିଛି । ଏପରିକି ମୋହନାରୁ ଜଣେ ରୋଗୀଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଆଗକୁ ବଢ଼ିପାରିନାହିଁ। ରାସ୍ତା ଉପରେ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ପଡ଼ିଥିବା ବେଳେ ଭୂସ୍ଖଳନ ଜାରି ରହିଥିବା ଦେଖି ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ପଛକୁ ଫେରିବାକୁ ବାଧ୍ୟ ହୋଇଛି ।

ସେପଟେ ଗଜପତି ଜିଲ୍ଲା ମୋହନାର ଲେଡ଼ବନ୍ଧ ନିକଟରେ ବର୍ଷାର ତାଣ୍ଡବରେ ଧୋଇଯାଇଛି ୩୨୬ ନମ୍ବର ଜାତୀୟ ରାଜପଥର କିଛି ଅଂଶ । ବ୍ରହ୍ମପୁର ସହ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା କ୍ଷତିଗ୍ରସ୍ତ ହେବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ରାସ୍ତା ଧୋଇଯାଇଥିବା ଦେଖି ଅନେକ ଯାତ୍ରୀ ଓ ଗାଡ଼ିଚାଳକ ଅଧାବାଟରୁ ଫେରିଯାଉଛନ୍ତି ।

ଗୋଟିଏ ପଟେ ତପ୍ତପାଣି ଘାଟିରେ ଭୂସ୍ଖଳନ, ଅନ୍ୟପଟେ ଲେଡ଼ବନ୍ଧ ନିକଟରେ ଜାତୀୟ ରାଜପଥ ଧୋଇଯିବା ଘଟଣା ଯାତାୟାତ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିଛି । ବିଶେଷକରି ଜରୁରୀକାଳୀନ ରୋଗୀ ପରିବହନ ଓ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି ।

ad-week
Leave A Reply

Your email address will not be published.