
ଚଣ୍ଡୀଗଡ଼: ପଞ୍ଜାବରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍)କୁ ଝଟ୍କା ଲାଗିଛି। ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ଦିନକ ପରେ ରବିବାର ଦଳର ଦୁଇ ବିଧାୟକ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ପଟିଆଲା ଜିଲ୍ଲାର ସନୌର ବିଧାୟକ ହରମିତ ସିଂହ ପଠାନମାଜରା ଏବଂ ସମାନା ବିଧାୟକ ଚେତନ ସିଂହ ଜୌରାମାଜରା। ଦଳର ପ୍ରଥମ ପ୍ରାର୍ଥୀ ତାଲିକାରେ ଉଭୟଙ୍କ ନାମ ନ ଥିବାରୁ ସେମାନଙ୍କୁ ଆଗାମୀ ନିର୍ବାଚନରେ ଟିକେଟ୍ ମିଳିବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ପଠାନମାଜରା ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଥିବାବେଳେ ଜୌରାମାଜରା ସାମାଜିକ ଗଣମାଧ୍ୟମରେ ଦଳର ପ୍ରାଥମିକ ସଦସ୍ୟତା ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ଜୌରାମାଜରା କହିଛନ୍ତି, ଦଳରେ ରହିବାକୁ ତାଙ୍କର ଆଉ ଇଚ୍ଛା ନାହିଁ ଏବଂ ପଞ୍ଜାବର ବର୍ତ୍ତମାନର ସ୍ଥିତି ତାଙ୍କୁ ଦୁଃଖିତ କରିଛି।
ଆପ୍ ଶନିବାର ଦିଲ୍ଲୀରେ ନିଜର ରାଜନୈତିକ ବ୍ୟାପାର କମିଟିର ବୈଠକ ପରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏହି ତାଲିକା ଘୋଷଣା କରିଥିଲେ। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ପାଇଁ ଘୋଷିତ ୪୦ ଜଣଙ୍କ ମଧ୍ୟରେ ସମସ୍ତେ ବର୍ତ୍ତମାନର ବିଧାୟକ ଏବଂ ସେମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରୁ ପୁନର୍ବାର ପ୍ରାର୍ଥୀ କରାଯାଇଛି। ମାନ୍ ଧୁରୀ ଆସନରୁ ନିର୍ବାଚନ ଲଢ଼ିବେ। ତେବେ ସନୌର ଓ ସମାନା ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଦୁଇ ବିଧାୟକଙ୍କ ଇସ୍ତଫା ପଛରେ ଦଳୀୟ ନେତୃତ୍ୱ ସହ ମତଭେଦ ଏବଂ ନିର୍ବାଚନୀ ଟିକେଟ୍କୁ ନେଇ ଅସନ୍ତୋଷ ଥିବା କୁହାଯାଉଛି। ଆପ୍ ସନୌର ନିର୍ବାଚନମଣ୍ଡଳୀର ଦାୟିତ୍ୱ ରଣଜୋଦ ସିଂହ ହାଦାନାଙ୍କୁ ଦେଇଥିବାବେଳେ ସମାନାରେ ପୂର୍ବତନ ଶିରୋମଣି ଅକାଳୀ ଦଳ ନେତା ସୁରଜିତ ସିଂହ ରାଖରାଙ୍କୁ ଦାୟିତ୍ୱ ଦେଇଥିଲା। ଏହାକୁ ଉଭୟ ଆସନରେ ପ୍ରାର୍ଥୀ ବଦଳାଇବାର ସଙ୍କେତ ଭାବେ ଦେଖାଯାଉଥିଲା।
ପଠାନମାଜରାଙ୍କର ଦଳୀୟ ନେତୃତ୍ୱ ସହ ପୂର୍ବରୁ ମତଭେଦ ରହିଥିଲା। ବନ୍ୟା ପରିଚାଳନାକୁ ନେଇ ସେ ପଞ୍ଜାବ ସରକାରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଥିଲେ। ଏଥିସହ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଦୁଷ୍କର୍ମ ମାମଲା ମଧ୍ୟ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନିଶ୍ଚିତତା ବଢ଼ାଇଥିଲା। ସେହିପରି ଜୌରାମାଜରା ଭଗୱନ୍ତ ମାନ୍ଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ। ୨୦୨୪ ସେପ୍ଟେମ୍ବରରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ ସମୟରେ ତାଙ୍କୁ ମନ୍ତ୍ରିପଦରୁ ହଟାଇ ଦିଆଯାଇଥିଲା। ଏହାପରେ ସମାନାରେ ରାଖରାଙ୍କୁ ଦଳୀୟ ଦାୟିତ୍ୱ ଦିଆଯିବା ତାଙ୍କ ଅସନ୍ତୋଷକୁ ବଢ଼ାଇଥିବା କୁହାଯାଉଛି। ଉଭୟ ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କେତେକ ରିପୋର୍ଟରେ ଆକଳନ କରାଯାଇଛି। ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି ନିର୍ବାଚନୀ ପ୍ରସ୍ତୁତି ଜୋରଦାର କରୁଥିବା ଆପ୍ ପାଇଁ ଏହି ଇସ୍ତଫା ଦଳୀୟ ଏକତା ଓ ସାଂଗଠନିକ ସ୍ଥିତିକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି।
