ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଲେ ଟ୍ରମ୍ପ

kalipuja

ନୂଆଦିଲ୍ଲୀ: ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ନିର୍ବାଚନ ସଚ୍ଚୋଟ ଓ ସ୍ୱଚ୍ଛ ଭାବେ ହୋଇନଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ । ଏହାସହ ଆମେରିକାରେ ବ୍ୟବହୃତ ଭୋଟିଂ ମେସିନର ବିଶ୍ୱସନୀୟତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ନେଇ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଆମେରିକାର ରାଜନୀତିରେ ଭୋଟିଂ ବ୍ୟବସ୍ଥା ଓ ନିର୍ବାଚନୀ ସ୍ୱଚ୍ଛତା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି ।

ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ ପ୍ରତି ଚାରିବର୍ଷରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର ମଝିରେ ଅନୁଷ୍ଠିତ ହୋଇଥାଏ । ଏଥିରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ ଆସନ ସହ ସିନେଟର ପ୍ରାୟ ଏକ ତୃତୀୟାଂଶ ଆସନ ପାଇଁ ଭୋଟ୍ ହୋଇଥାଏ । କଂଗ୍ରେସରେ କେଉଁ ଦଳର କେତେ ପ୍ରଭାବ ରହିବ, ତାହା ନିର୍ଣ୍ଣୟ କରିବାରେ ଏହି ନିର୍ବାଚନର ଗୁରୁତ୍ୱ ରହିଛି ।

ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ୨୦୨୬ ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ବଡ଼ ସଫଳତା ହାସଲ କରିଛି । ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଓ ସିନେଟରେ ଡେମୋକ୍ରାଟମାନେ ନିୟନ୍ତ୍ରଣ ହାସଲ କରିଥିବା ବେଳେ ରିପବ୍ଲିକାନ୍ ପାର୍ଟିକୁ ଝଟକା ଲାଗିଛି । ଏହି ଫଳାଫଳ ପରେ ଟ୍ରମ୍ପ ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ ପ୍ରଶ୍ନ କରିଛନ୍ତି, ଏହି ନିର୍ବାଚନ ସଚ୍ଚୋଟ ଭାବେ ହୋଇଥିବା କଥାକୁ କେହି ବିଶ୍ୱାସ କରୁଛନ୍ତି କି । ନିର୍ବାଚନ ପୂର୍ବ ସର୍ଭେ ଓ ପ୍ରକୃତ ଫଳାଫଳ ମଧ୍ୟରେ ଏତେ ପାର୍ଥକ୍ୟ କିପରି ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ପ୍ରାରମ୍ଭିକ ଭୋଟର ବିପୁଳ ସଂଖ୍ୟା ଏବଂ ଭୋଟିଂ ମେସିନ୍ ର ଭୂମିକାକୁ ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଟ୍ରମ୍ପଙ୍କ ଅଭିଯୋଗକୁ ସମର୍ଥନ କରିବା ଭଳି କୌଣସି ଠୋସ୍ ପ୍ରମାଣ ସାମ୍ନାକୁ ଆସିନାହିଁ । ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବାର ପ୍ରମାଣ ମିଳିନଥିବା ଆମେରିକୀୟ ଗଣମାଧ୍ୟମ ରିପୋର୍ଟ କରିଛି । ବିଶେଷ କଥା ହେଉଛି, ନିର୍ବାଚନ ପରେ ପ୍ରଥମେ ଫଳାଫଳ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା କହିଥିଲେ ଟ୍ରମ୍ପ । ଏପରିକି ଡେମୋକ୍ରାଟମାନଙ୍କ ସହ କାମ କରିବାକୁ ମଧ୍ୟ ସେ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଏବେ ତାଙ୍କ ମନ୍ତବ୍ୟରେ ପରିବର୍ତ୍ତନ ଆସିଛି । ଫଳରେ ଆମେରିକାରେ ନିର୍ବାଚନୀ ସ୍ୱଚ୍ଛତାକୁ ନେଇ ରାଜନୈତିକ ବିତର୍କ ପୁଣି ତୀବ୍ର ହୋଇଛି ।

ad-week
Leave A Reply

Your email address will not be published.