ହ୍ରଦରେ ଗାଧୋଇବା ବେଳେ ୪ ନାବାଳିକାଙ୍କ ସହ ୱାର୍ଡେନଙ୍କ ମୃତ୍ୟୁ

kalipuja

ତାମିଲନାଡୁ: ତାମିଲନାଡୁରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ଦୀପାବଳି ଛୁଟିରେ ବୁଲିବାକୁ ଯାଇଥିବା ବେଳେ ହ୍ରଦରେ ବୁଡ଼ି ୪ ଜଣ ନାବାଳିକାଙ୍କ ସହ ଜଣେ ୱାର୍ଡେନଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଏକ ସରକାରୀ ବାଳିକା ସୁରକ୍ଷା ଗୃହରେ ରହୁଥିଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ, ତାମିଲନାଡୁର ତିରୁଭନ୍ନାମଲାଇ ଜିଲ୍ଲାର ପେରୁମ୍ବାକ୍କମସ୍ଥିତ ସରକାରୀ ବାଳିକା ସୁରକ୍ଷା ଗୃହରେ ରହୁଥିବା ୪ ଜଣ ନାବାଳିକା ନିଜ ୱାର୍ଡେନ ଥେନମୋଝିଙ୍କ ସହ ସମୁଥିରମ୍ ହ୍ରଦକୁ ବୁଲିବାକୁ ଯାଇଥିଲେ । ଦୀପାବଳି ଛୁଟି ଅବସରରେ ସମସ୍ତେ ହ୍ରଦରେ ଗାଧୋଇବାକୁ ଯାଇଥିଲେ ।

ଏହି ସମୟରେ ଜଣେ ନାବାଳିକା ହଠାତ୍ ଗଭୀର ପାଣିକୁ ଚାଲିଯାଇ ବୁଡ଼ିବାକୁ ଲାଗିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ନାବାଳିକାମାନେ ମଧ୍ୟ ପାଣିରେ ଫସିଯାଇଥିଲେ । ଫଳରେ ୫ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୱାର୍ଡେନ ଥେନମୋଝିଙ୍କ ସମେତ ବିଜୟଲକ୍ଷ୍ମୀ, ଅଲ୍ଲୀ, ଭୂମିକା ଓ ବଲ୍ଲିୟମ୍ମାଲ୍ ନାମକ ୪ ଜଣ ନାବାଳିକା ଅଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ହ୍ରଦରେ ଖୋଜାଖୋଜି କରି ୫ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ପରେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଯାଇଛି । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହି ଦୁଃଖଦ ଘଟଣା ପରେ ସରକାରୀ ବାଳିକା ସୁରକ୍ଷା ଗୃହରେ ରହୁଥିବା ନାବାଳିକାମାନଙ୍କ ସୁରକ୍ଷା ଓ ତଦାରଖ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ନାବାଳିକାମାନଙ୍କୁ ହ୍ରଦକୁ ନେବା ପାଇଁ ଆବଶ୍ୟକ ଅନୁମତି ନିଆଯାଇଥିଲା କି ନାହିଁ ଏବଂ ସେମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିଲା କି ନାହିଁ, ପୋଲିସ ତାହାର ତଦନ୍ତ କରୁଛି । ଏଥିସହ ହ୍ରଦରେ ହଠାତ୍ ଗଭୀରତା ବଢ଼ିଯିବା ଏବଂ ପାଣି ଭିତରେ ଥିବା ଅନ୍ୟ ବିପଦଜନକ ପରିସ୍ଥିତିକୁ ନେଇ ମଧ୍ୟ ଯାଞ୍ଚ ଚାଲିଛି । ତଦନ୍ତ ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ଅନ୍ୟପଟେ, ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ମଧ୍ୟ କିଛିଦିନ ପୂର୍ବରୁ ଏକ ଦୁଃଖଦ ଘଟଣା ଘଟିଥିଲା । ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ପରେ ପୋଖରୀରେ ଗାଧୋଇବାକୁ ଯାଇଥିବା ୫ ଜଣ ସାଙ୍ଗ ଗଭୀର ପାଣିରେ ବୁଡ଼ିଯାଇଥିଲେ । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ad-week
Leave A Reply

Your email address will not be published.