କଳାହାଣ୍ଡିରେ ୪,୭୦୮ କୋଟିର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

kalipuja

ଭୁବନେଶ୍ୱର: କଳାହାଣ୍ଡିରେ ବଡ଼ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜିଲ୍ଲାର ରାଣୀବାହାଲଠାରେ ପ୍ରସ୍ତାବିତ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ପାଇଁ ୪ ହଜାର ୭୦୮ କୋଟି ୬୪ ଲକ୍ଷ ଟଙ୍କାର ଆର୍ଥିକ ଢାଞ୍ଚା ଓ ପ୍ରକଳ୍ପ ବ୍ୟୟକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପମ୍ପଡ୍ ଷ୍ଟୋରେଜ୍ ବ୍ୟବସ୍ଥାରେ ବିଦ୍ୟୁତ୍ ଚାହିଦା କମ୍ ଥିବା ସମୟରେ ପାଣିକୁ ଉପର ଜଳାଶୟକୁ ଉଠାଯାଏ । ଚାହିଦା ବଢ଼ିଲେ ସେହି ପାଣିକୁ ତଳକୁ ଛାଡ଼ି ଟର୍ବାଇନ୍ ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରାଯାଏ । ଏହା ନୂଆ ଶକ୍ତି ସୃଷ୍ଟି କରିବା ପରିବର୍ତ୍ତେ ବିଦ୍ୟୁତ୍ କୁ ସଂରକ୍ଷଣ କରି ଆବଶ୍ୟକ ସମୟରେ ଯୋଗାଇବାର ଏକ ବ୍ୟବସ୍ଥା। ତେବେ କ୍ୟାବିନେଟ୍ ଅନୁମୋଦନ ପରେ ଏବେ ବଡ଼ ପ୍ରଶ୍ନ ହେଉଛି, ନିର୍ଦ୍ଧାରିତ ସମୟ ଓ ବଜେଟ୍ ମଧ୍ୟରେ ଏହି ପ୍ରକଳ୍ପ କିପରି ଶେଷ ହେବ? ସରକାରଙ୍କ ଆଗରେ ମୁଖ୍ୟତଃ ୫ଟି ବଡ଼ ଆହ୍ୱାନ ରହିପାରେ ।

ପ୍ରଥମ ହେଉଛି ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି । ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଠିକ୍ ସମୟରେ ଉପଲବ୍ଧ କରାଇବା ପ୍ରଥମ ବଡ଼ ଆହ୍ୱାନ । ଜଙ୍ଗଲ ଜମି ବ୍ୟବହାରର ଆବଶ୍ୟକତା ଥିଲେ ଆଇନଗତ ଅନୁମତି ହାସଲ କରିବାକୁ ପଡ଼ିବ । ସ୍ଥାନୀୟ ଲୋକଙ୍କ ଜୀବିକା, କ୍ଷତିପୂରଣ ଓ ପୁନର୍ବାସ ସମ୍ପର୍କିତ ପ୍ରସଙ୍ଗର ସମାଧାନ ମଧ୍ୟ ଜରୁରୀ । ଏସବୁ ପ୍ରକ୍ରିୟାରେ ବିଳମ୍ବ ହେଲେ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଦ୍ବିତୀୟ ଚ୍ୟାଲେଞ୍ଜ ହେଉଛି ୪ ହଜାର ୭୦୮ କୋଟି ଟଙ୍କାର ଆର୍ଥିକ ପରିଚାଳନା । ପ୍ରକଳ୍ପ ପାଇଁ ୮୦:୨୦ ଋଣ ଓ ଇକ୍ୱିଟି ଢାଞ୍ଚା ଧାର୍ଯ୍ୟ ହୋଇଛି ।

ଓଡ଼ିଶା ଜଳବିଦ୍ୟୁତ୍ ନିଗମ (OHPC) ନିଜସ୍ୱ ପାଣ୍ଠିରୁ ୨୦ ପ୍ରତିଶତ ଯୋଗାଇବ । ଅବଶିଷ୍ଟ ୮୦ ପ୍ରତିଶତ ରାଜ୍ୟ ସରକାର ଋଣ ଆକାରରେ ପ୍ରଦାନ କରିବେ । ଅର୍ଥାତ୍ ପ୍ରାୟ ୩,୭୬୭ କୋଟି ଟଙ୍କାର ସରକାରୀ ଋଣ ବ୍ୟବସ୍ଥା କରିବାକୁ ହେବ । ନିୟମିତ ଅର୍ଥ ଯୋଗାଣ ସହ ନିର୍ମାଣ ବ୍ୟୟ ଯେପରି ନ ବଢ଼େ, ତାହା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ । ସେହିପରି ତୃତୀୟ ପ୍ରଶ୍ନ ୨୦୩୦-୩୧ ସୁଦ୍ଧା ନିର୍ମାଣ ଶେଷ କରିବା । ପ୍ରକଳ୍ପ ନିର୍ମାଣ ପାଇଁ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର୍ସ ଲିମିଟେଡ୍ କୁ ଚୟନ କରାଯାଇଛି । କିନ୍ତୁ ପାହାଡ଼ିଆ ଅଞ୍ଚଳରେ ଜଳାଶୟ ସମ୍ପର୍କିତ କାର୍ଯ୍ୟ, ଟନେଲ୍, ପମ୍ପ ଓ ଟର୍ବାଇନ୍ ସ୍ଥାପନ ଭଳି ଜଟିଳ ନିର୍ମାଣ କାର୍ଯ୍ୟ ଠିକ୍ ସମୟରେ ସାରିବା ସହଜ ନୁହେଁ ।

ବର୍ଷାଋତୁ, ଭୂତାତ୍ତ୍ୱିକ ସମସ୍ୟା ଓ ଯନ୍ତ୍ରପାତି ଯୋଗାଣରେ ବିଳମ୍ବ ହେଲେ ସମୟସୀମା ପ୍ରଭାବିତ ହୋଇପାରେ। ଚତୁର୍ଥ ଚ୍ୟାଲେଞ୍ଜ ଜଳ ପରିଚାଳନା ଓ ପରିବେଶ ସୁରକ୍ଷା । ଇନ୍ଦ୍ରାବତୀ ଜଳ ବ୍ୟବସ୍ଥା ସହ ଜଡ଼ିତ ଏହି ପ୍ରକଳ୍ପରେ ଜଳସ୍ତର ପରିଚାଳନା ଏକ ବଡ଼ ବୈଷୟିକ ଆହ୍ୱାନ। ବିଦ୍ୟୁତ୍ ଉତ୍ପାଦନ ପାଇଁ ପାଣିର ପୁନଃବ୍ୟବହାର ସହ ଜଳାଶୟର ସୁରକ୍ଷା ଏବଂ ଅନ୍ୟାନ୍ୟ ଜଳ ଆବଶ୍ୟକତା ମଧ୍ୟରେ ସମନ୍ୱୟ ରଖିବାକୁ ପଡ଼ିବ । ପରିବେଶ ଉପରେ ସମ୍ଭାବ୍ୟ ପ୍ରଭାବର ଉପଯୁକ୍ତ ଆକଳନ ମଧ୍ୟ ଆବଶ୍ୟକ । ସରକାଙ୍କ ପାଇଁ ପଞ୍ଚମ ଚ୍ୟାଲେଞ୍ଜ ହେଉଛି ବିଦ୍ୟୁତ୍ ସଂରକ୍ଷଣକୁ ଆର୍ଥିକ ଭାବେ ଲାଭଦାୟକ କରିବା ।

ପ୍ରକଳ୍ପରୁ ବର୍ଷକୁ ପ୍ରାୟ ୧,୦୪୦ ନିୟୁତ ୟୁନିଟ୍ ବିଦ୍ୟୁତ୍ ମିଳିବା ଆକଳନ ରହିଛି । କିନ୍ତୁ ପାଣିକୁ ଉପରକୁ ଉଠାଇବା ପାଇଁ ପ୍ରାୟ ୧,୨୮୩ ନିୟୁତ ୟୁନିଟ୍ ବିଦ୍ୟୁତ୍ ଆବଶ୍ୟକ ହେବ । ଅର୍ଥାତ୍ ଏହାର ମୁଖ୍ୟ ଲାଭ ଅଧିକ ବିଦ୍ୟୁତ୍ ସୃଷ୍ଟିରେ ନୁହେଁ, ବରଂ କମ୍ ଚାହିଦା ସମୟର ବିଦ୍ୟୁତ୍ କୁ ଅଧିକ ଚାହିଦା ସମୟରେ ଉପଯୋଗ କରିବାରେ ରହିଛି । ତେଣୁ ଶସ୍ତା ବିଦ୍ୟୁତ୍ ଉପଲବ୍ଧତା, ଗ୍ରିଡ୍ ସଂଯୋଗ ଓ ବିଦ୍ୟୁତ୍ କ୍ରୟ-ବିକ୍ରୟ ବ୍ୟବସ୍ଥାକୁ ଉପଯୁକ୍ତ କରିବାକୁ ହେବ । ଏହି ପାଞ୍ଚଟି ହେଉଛି ପ୍ରକଳ୍ପର ପ୍ରକୃତି ଓ ଆର୍ଥିକ ଢାଞ୍ଚା ଆଧାରରେ ଚିହ୍ନଟ ସମ୍ଭାବ୍ୟ ଆହ୍ୱାନ ।

ad-week
Leave A Reply

Your email address will not be published.