ମଶା ଧୂପ ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ

kalipuja

କେନ୍ଦ୍ରାପଡ଼ା: ମଶା ଧୂପ ହେଲା କାଳ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜଣେ ବ୍ୟକ୍ତିଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରୁ । ମୃତ ବ୍ୟକ୍ତି ଜଣକ ହେଲେ ଦେବେନ୍ଦ୍ର ରାୟ (୫୩) ।

ତେବେ ସୂଚନା ମୁତାବକ, ଦେବେନ୍ଦ୍ର ପେସାରେ ଜଣେ ଜଣାଶୁଣା ଚିତ୍ରଶିଳ୍ପୀ ଭାବେ ସମଗ୍ର ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ଦେବେନ୍ଦ୍ର ମଙ୍ଗଳବାର ରାତିରେ ଘରେ ଏକ ମଶା ଧୂପ ଲଗାଇ ଶୋଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ରାତିରେ ଶୋଇଥିବା ଅବସ୍ଥାରେ ଧୂପ ନିଆଁ ସଂସ୍ପର୍ଶରେ ଆସି ବିଛଣାରେ ନିଆଁ ଲାଗିଯାଇଥିଲା । କବାଟ ଓ ଝରକା ବନ୍ଦ ଥିବାରୁ ଅଳ୍ପ ସମୟ ମଧ୍ୟରେ ସମଗ୍ର ବନ୍ଦ କୋଠରୀ ବିଷାକ୍ତ ଧୂଆଁରେ ଭରି ଯାଇଥିଲା । ପ୍ରଚୁର ଧୂଆଁ ଯୋଗୁ ଅଣନିଃଶ୍ୱାସୀ ହୋଇ ଶ୍ରୀ ରାୟ ନିଦ୍ରା ମଧ୍ୟରେ ହିଁ ଅଚେତ ହୋଇପଡ଼ିଥିଲେ ।

ତାପରଦିନ ସକାଳୁ ସେ ଡେରି ଯାଏଁ କବାଟ ନଖୋଲିବାରୁ ପରିବାର ଲୋକେ ତାଙ୍କୁ ବାରମ୍ବାର ଡାକିଥିଲେ । କୌଣସି ଉତ୍ତର ନମିଳିବାରୁ ପରିବାର ଲୋକ ପଡ଼ୋଶୀଙ୍କୁ ଡାକି କବାଟ ତାଡ଼ି ଘର ଭିତରକୁ ଯାଇ ଦେଖିଲା ବେଳକୁ ଚାରିଆଡ଼େ ଧୂଆଁ ଭର୍ତ୍ତି ହୋଇରହିଥିଲା । ସେ ବିଛଣାରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ ।

ତାପରେ ସଙ୍ଗେ ସଙ୍ଗେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅତ୍ୟଧିକ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.