ପାକିସ୍ତାନୀ ପୋଲିସ୍ ଫୋର୍ସ ଉପରେ ଆତଙ୍କୀ ଆକ୍ରମଣ, ୧୧ ମୃତ

kalipuja

ପାକିସ୍ତାନ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର କୋହାଟ ଅଞ୍ଚଳରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଭୟଙ୍କର ଆକ୍ରମଣ କରିଛନ୍ତି । ବେଆଇନ ସୁନା ଖଣି ବିରୋଧରେ ଚାଲିଥିବା ଅଭିଯାନ ଶେଷ କରି ଫେରୁଥିବା ପୋଲିସ ଟିମ୍‌କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ୧୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୧ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ, ସ୍ଥାନୀୟ ପ୍ରଶାସନ ସହ ମିଶି ପୋଲିସ କୋହାଟ ନିକଟସ୍ଥ ଦରାବୁକାଚ ଅଞ୍ଚଳରେ ଏକ ମିଳିତ ଅଭିଯାନ ଚଳାଇଥିଲା ବୋଲି ଖାଇବର ପଖତୁନଖ୍ୱା ପୋଲିସର ଜନସମ୍ପର୍କ ନିର୍ଦ୍ଦେଶକଙ୍କ ପକ୍ଷରୁ ବିବୃତି ଜାରି ହୋଇଛି । ଅଭିଯାନ ଶେଷ କରି ପୋଲିସ ଟିମ୍ ଫେରୁଥିବା ସମୟରେ ଅପରାଧୀଙ୍କ ପ୍ରୋତ୍ସାହନରେ ଫିତନା-ଅଲ-ଖୱାରିଜ୍ ଗୋଷ୍ଠୀ ପୋଲିସ ଉପରେ ଆକ୍ରମଣ କରିଥିଲେ । ପୋଲିସ କର୍ମଚାରୀମାନେ ସାହସର ସହ ଆକ୍ରମଣକାରୀଙ୍କ ମୁକାବିଲା କରିଥିଲେ । ଏଥିରେ ୧୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ପାକିସ୍ତାନ ସରକାର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ସହ ଜଡ଼ିତ ଆତଙ୍କବାଦୀଙ୍କୁ ‘ଫିତନା-ଅଲ-ଖୱାରିଜ୍’ ବୋଲି ସମ୍ବୋଧନ କରିଥାନ୍ତି । ଏହାରି ମଧ୍ୟରେ ପୋଲିସ ମୁଖପାତ୍ର ମହମ୍ମଦ ନୋମାନ ଜେବଙ୍କ ସୂଚନା ଅନୁଯାୟୀ, କୋହାଟ ଏବଂ କରକ ମଧ୍ୟରେ ଥିବା ଦଡ଼ବୋକାଚ ଜଲନ୍ଧର ବାନ୍ଦା ଅଞ୍ଚଳ ଦେଇ ଯାଉଥିବା ପୋଲିସ ଟିମ୍ ଉପରେ ଆତଙ୍କବାଦୀମାନେ ଅନ୍ଧାଅନ୍ଧି ଗୁଳିଚାଳନା କରିଥିଲେ । ମୃତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଗମ୍ଭଟର ଡିଏସପି ହାଇଦର ଜମାନ ଏବଂ ସବ୍-ଇନ୍ସପେକ୍ଟର ମୁଖତିୟାର ମଧ୍ୟ ରହିଛନ୍ତି । ଆକ୍ରମଣକାରୀମାନେ ପୋଲିସର ୫ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଆକ୍ରମଣ ପରେ ଘଟଣାସ୍ଥଳକୁ ଅତିରିକ୍ତ ପୋଲିସ ଫୋର୍ସକୁ ପଠାଯାଇଥିବାବେଳେ ଜିଲ୍ଲା ମୁଖ୍ୟାଳୟ ଶିକ୍ଷା ହସ୍ପିଟାଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା ।

ଅନ୍ୟପଟେ ପୋଲିସର କହିବା ଅନୁଯାୟୀ, ଏହି ଘଟଣା ବେଆଇନ ସୁନା ଖଣିରେ ସମ୍ପୃକ୍ତ ଅପରାଧୀ ଏବଂ ଫିତନା-ଅଲ-ଖୱାରିଜ୍ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଥିବା ସମ୍ପର୍କକୁ ସାମ୍ନାକୁ ଆସିଛି । ଖାଇବର ପଖତୁନଖ୍ୱାର ରାଜ୍ୟପାଳ ଫୈସଲ କରିମ କୁଣ୍ଡି ପୋଲିସ କର୍ମଚାରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି ।

ସୂଚନାଯୋଗ୍ୟ, ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫର କନଫ୍ଲିକ୍ଟ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍ ଅନୁଯାୟୀ, ଖାଇବର ପଖତୁନଖ୍ୱା ପ୍ରଦେଶରେ ସୁରକ୍ଷା ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି । ଅକ୍ଟୋବର ୧୧ରୁ ଉତ୍ତର-ପଶ୍ଚିମ ପାକିସ୍ତାନର ଏହି ପ୍ରଦେଶରେ ରାଜ୍ୟପାଳ ଶାସନ ଏବଂ ଜରୁରୀକାଳୀନ ସ୍ଥିତି ଲାଗୁ ରହିଛି । ଆତଙ୍କବାଦ ବିରୋଧୀ ଲଢ଼େଇରୁ ପିଟିଆଇ ନେତୃତ୍ୱାଧୀନ ପ୍ରାଦେଶିକ ସରକାର ଜାଣିଶୁଣି ଦୂରେଇ ରହୁଥିବା ଅଭିଯୋଗ କରି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଇଛି ।

ad-week
Leave A Reply

Your email address will not be published.