
ବିହାର: ବିହାର ସରକାର କଚ୍ଚି ଦରଗାହ-ରାଘୋପୁର-ବିଦୁପୁର ଛଅ ଲେନ୍ ବିଶିଷ୍ଟ ସେତୁର ନାମ ନୀତୀଶ କୁମାରଙ୍କ ନାମରେ ‘ନୀତୀଶ ସେତୁ’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିର ଘୋଷଣା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କରିଛନ୍ତି । ଆସନ୍ତା ନଭେମ୍ବର ୨୧ ତାରିଖରେ ବିହାର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେତୁକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ଆସନ୍ତା ନଭେମ୍ବର ୨୧ ତାରିଖରେ ବିହାର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ନବନିର୍ମିତ ଏହି ଭବ୍ୟ ଛଅ ଲେନ୍ ବିଶିଷ୍ଟ ସେତୁକୁ ଆନୁଷ୍ଠାନିକ ଭାବେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବେ । ବୈଶାଳୀ ଜିଲ୍ଲାର ରାଜାପାକରଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜନ କରାଯିବ । ସେଠାରୁ ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସେତୁର ଉଦ୍ଘାଟନ କରିବେ । ଏହି ଛଅ ଲେନ୍ ବିଶିଷ୍ଟ ସେତୁ ପାଟନାର କଚ୍ଚି ଦରଗାହକୁ ସିଧାସଳଖ ବୈଶାଳୀ ଜିଲ୍ଲାର ବିଦୁପୁର (ରାଘୋପୁର ଅଞ୍ଚଳ) ସହିତ ଯୋଡ଼ିବ । ସେତୁଟି ଯାତାୟାତ ପାଇଁ ଖୋଲିବା ପରେ କେବଳ ପାଟନା ଓ ଉତ୍ତର ବିହାର ମଧ୍ୟରେ ଦୂରତା ହ୍ରାସ ପାଇବ ନାହିଁ ବରଂ ଲୋକମାନେ ଭୟଙ୍କର ଟ୍ରାଫିକ୍ ଜାମ୍ରୁ ମଧ୍ୟ ମୁକ୍ତି ପାଇବେ । ଏହାସହ ବାଣିଜ୍ୟିକ ଯାତାୟାତ ଓ ପରିବହନ କ୍ଷେତ୍ରରେ ମଧ୍ୟ ନୂଆ ଗତି ଆସିବ ।
ବୈଶାଳୀର ରାଜାପାକରଠାରେ ଆୟୋଜିତ ହେବାକୁ ଥିବା ଏହି ମୁଖ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ‘ନୀତୀଶ ସେତୁ’ର ଉଦ୍ଘାଟନ କରିବେ ନାହିଁ ବରଂ ବିହାରର ବିକାଶ ପାଇଁ ଅନେକ ଜନହିତକର ଓ ଭିତ୍ତିଭୂମି ସମ୍ପର୍କିତ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ ମଧ୍ୟ କରିବେ ।
